କୁଷ୍ଠାଶ୍ରମ କଲୋନିରେ ଅଲୋଡ଼ା ଜୀବନ

ଭୁବନେଶ୍ବର : କୁଷ୍ଠାଶ୍ରମ ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି। କୁଷ୍ଠାକ୍ରାନ୍ତଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା ବି କରିଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ସବୁ ବିଧି ବ୍ୟବସ୍ଥା କେବଳ କାଗଜପତ୍ରରେ ହିଁ ରହିଛି। ଏବେ ବି ସେମାନେ ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଲୋଡ଼ା ଜୀବନ ଜିଉଁଛନ୍ତି। ନାହିଁ ନାହିଁରେ ଚାଲିଛି ସବୁ କୁଷ୍ଠାଶ୍ରମ। କଲୋନିକୁ ପକ୍କା ସଡ଼କ ନାହିଁ, ପାନୀୟ ଜଳ ଯୋଗାଣ ଭଲ ନାହିଁ, ଲାଇଟ୍‌ ବ୍ୟବସ୍ଥା ବି ନାହିଁ। ରାଜଧାନୀ‌ରେ ବିଏମ୍‌ସି ୧୦ନମ୍ବର ୱାର୍ଡ ଅନ୍ତର୍ଗତ ଜଗନ୍ନାଥ କୁଷ୍ଠାଶ୍ରମକୁ ଦେଖିଲେ ଏହି ବିକଳ ଚିତ୍ର ସ୍ପଷ୍ଟ ହୋଇଯାଏ।

ଏହି କୁଷ୍ଠାଶ୍ରମ କଲୋନିରେ ୭୦ ପରିବାରର ପ୍ରାୟ ୨୫୦ ଲୋକ ବାସ କରୁଛନ୍ତି। ଏମାନେ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ତଥା ଅପରିଷ୍କାର ପରିବେଶରେ ବଞ୍ଚି ରହିଛନ୍ତି। ପକ୍କା ସଡ଼କ, ବିଶୁଦ୍ଧ ପାନୀୟ ଜଳ, ଲାଇଟ୍ ଆଦି କୌଣସି ବ୍ୟବସ୍ଥା ଭଲ ନାହିଁ। କଲୋନି ସାରା ସବୁ ଘର ଚାରି ପାଖରେ କୁଢ଼କୁଢ଼ ଅଳିଆ ଗଦା ହୋଇ ପଡ଼ିଛି। କଲୋନିର ବାସିନ୍ଦା ସନ୍ତୋଷ ଦାସଙ୍କ କହିବାନୁସାରେ କୁଷ୍ଠରୋଗୀଙ୍କ ପାଇଁ ଯେଉଁ ସୁବିଧା ମିଳିବା କଥା ମିଳୁନାହିଁ। କ୍ଷତ ଘୋଡ଼ାଇବା ଓ ବାହ୍ୟ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଏମ୍‌ସିଆର ଜୋତା ନିହାତି ଆବଶ୍ୟକ। ଏଥିପାଇଁ ସବୁ ରୋଗୀଙ୍କ ପାଇଁ ବାର୍ଷିକ ୨ଟି ଜୋତା ଆବଶ୍ୟକ। ହେଲେ କାହିଁ କେତେ ଦିନ ହେଲା ଏଠି କାହାକୁ ହଳେ ବି ଜୋତା ମିଳି ନାହିଁ। ମହିଳା ଅନ୍ତେବାସୀ ତୁଳସୀ ଦଳାଇ ଓ ବାସିନ୍ଦା ଉମାକାନ୍ତ ସେନାପତିଙ୍କ କହିବାନୁସାରେ ୨୦୦୦ ମସିହାରୁ ଆମକୁ ସ୍ଥାୟୀ ଘର ଦେବା ପାଇଁ କୁହାଗଲା। ହେଲେ ୨୦ ବର୍ଷ ବିତିବା ପରେ ଘର ତ ମିଳିଲା ନାହିଁ, କଲୋନିକୁ ଭଲ ରାସ୍ତାଟିଏ ବି ଦିଆଗଲା ନାହିଁ। କଲୋନିରେ ଡ୍ରେନ୍ ନାହିଁ, ଭଲ ପିଇବା ପାଣି ସୁବିଧା ମଧ୍ୟ ନାହିଁ। କଲୋନି ବ‌ାସିନ୍ଦାଙ୍କ ଦୁଃଖ ହେଉଛି, ସମାଜ ଯେମିତି ସେମାନଙ୍କୁ ଭିନ୍ନ ନଜରରେ ଦେଖୁଛି, ବାବୁମାନେ ବି ସେମିତି ଆଡ଼ ନଜରରେ ସେମାନଙ୍କୁ ରଖିଛନ୍ତି। ତେଣୁ ସେମାନେ ଏବେ ବି ଅଲୋଡ଼ା ଭାବେ ଜିଉଁଛନ୍ତି।

ଏ ନେଇ ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ କହିଛନ୍ତି ଯେ ବଞ୍ଚିବା ପାଇଁ ସେମାନେ ସର୍ବନିମ୍ନ ମୌଳିକ ଅଧିକାର ପାଇବା ଉଚିତ। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ। ସୂଚନାଯୋଗ୍ୟ ରାଜ୍ୟରେ ଥିବା କୁଷ୍ଠରୋଗୀମାନଙ୍କ ଦୁର୍ଦ୍ଦଶାକୁ ନେଇ କୁଷ୍ଠରୋଗ କଲ୍ୟାଣ ସମିତିର ସାଧାରଣ ସମ୍ପାଦକ ବିପିନ ବିହାରୀ ପ୍ରଧାନ ୨୦୧୫ ମସିହାରେ ଏକ ଜନସ୍ବାର୍ଥ ମାମଲା କରିଥିଲେ। ନିକଟରେ ଉଚ୍ଚ ନ୍ୟାୟାଳୟ ତରଫରୁ ଏକ ୩ଜଣିଆ କମିଟି ଗଠନ କରାଯାଇଛି ଓ ପୁରୀ, ଖୋର୍ଦ୍ଧା, ଜଟଣୀ, ବାଲେଶ୍ବର ଆଦି ଅଞ୍ଚଳରେ ଥିବା କୁଷ୍ଠରୋଗୀମାନଙ୍କ ଜୀବନଧାରାକୁ ନେଇ ଉକ୍ତ କମିଟି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ପାଇବା ପରେ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଏହି ମାମଲାର ଶୁଣାଣି ହେବ।

ସମ୍ବନ୍ଧିତ ଖବର