ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଦୁଇ ଦିନିଆ ପାଠ୍ୟଚକ୍ର: ‘ଆଲୋଚନାରେ ଗୁଣାତ୍ମକମାନ ବିକଶିତ ହୁଏ’

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଦୁଇ ଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ‘ସ୍ବାଧୀନତାର ପ୍ରାକ୍ ଓ ପରବର୍ତ୍ତୀ ସମୟରେ ନୃତ୍ୟ, ସଂଗୀତ ଓ ନାଟକର କ୍ରମ ବିକାଶ’ ବିଷୟରେ ୧୦ଟି ବିଭାଗର ଆଲୋଚନାଚକ୍ର କରାଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଯୋଗ ଦେଇ କହିଲେ, ଆଲୋଚନାଚକ୍ର ପିଲାମାନଙ୍କର ଗୁଣାତ୍ମକମାନ ବିକାଶ କରିବ ଓ ଆଜାଦି କା ଅମୃତ ମହୋତ୍ସବ ପାଳନକୁ ସମୃଦ୍ଧ କରିବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂଗୀତର ବିଭିନ୍ନ ଦିଗ ଉପରେ ଆଲେଚନା କରିବା ସହ ଏହି ଆଲୋଚନାଚକ୍ର ପିଲାମାନଙ୍କ ପାଇଁ ଉପଯୋଗୀ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ ଯୋଗ ଦେଇ ନାଟକର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଆଲୋଚନାଚକ୍ରରେ ଓଡ଼ିଶୀ କଣ୍ଠ ସଂଗୀତ ଗବେଷକ ଜ. କୀର୍ତ୍ତନ ନାରାୟଣ ପାଢ଼ୀ, ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ଗବେଷକ ଗୁରୁ ଡ. ରଘୁନାଥ ସାହୁ ,ବଂଶୀ ବିଭାଗ ଅଧ୍ୟାପକ ଗୁରୁ ଜବାହର ମିଶ୍ର, ସିତାର ବିଭାଗର ଅଧ୍ୟାପକ ଗୁରୁ ଭୀମସେନ ମହାରଣା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିଜୟ କୁମାର ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ଇଂ ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର