ଚନ୍ଦ୍ରଶେଖରପୁର: ଉତ୍କଳ ହସ୍ପିଟାଲ ପାଖ ଦେଇ ଯାଇଥିବା ଦୁଇଶହ ଫୁଟିଆ ରାସ୍ତା ଏବେ ନିଶାଡ଼ିଙ୍କ କବ୍‌ଜାରେ। ବିଶେଷକରି ରାତି ହେଲେ ଏହି ରାସ୍ତାରେ ଜମୁଛି ନିଶାଡ଼ିଙ୍କ ଆଡ଼ା। କେଉଁଠୁ ଗଞ୍ଜେଇ ଧୂଆଁ ଭାସିଆସୁଥିବା ବେଳେ କେଉଁଠି ମଦୁଆଙ୍କ ଉତ୍ପାତ ଦେଖାଯାଉଛି। ପୁଣି କେଉଁଠି ବ୍ରାଉନ୍‌ସୁଗାର ନେଇ କେହି କେହି ଟଳମଳ ହେଉଥିବା ଦେଖିବାକୁ ମିଳୁଛି। ପୂରା ଭୟଙ୍କର ଚିତ୍ର। ସକାଳକୁ ରାସ୍ତା ସାରା ଭଙ୍ଗା ମଦ ବୋତଲ ଦେଖିବାକୁ ମିଳୁଛି। ସେହିଭଳି ସଂଜ ବୁଡ଼ୁବୁଡ଼ୁ ଏହି ରାସ୍ତା ନିଛାଟିଆ ହୋଇପଡ଼ୁଥିବାରୁ ଲୁଟେରାମାନେ ବି ଛକି ରହୁଛନ୍ତି। ଏକୁଟିଆ ଯାଉଥିବା ବାଇକ୍‌ ଆରୋହୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ପୁଲିସ ପାଟ୍ରୋଲିଂ ନଥିବା ମଉକା ନେଇ ଅସାମାଜିକମାନେ ଏହି ରାସ୍ତାରେ ଉତ୍ପାତ କରୁଛନ୍ତି। ତେଣୁ ରାତିରେ ଏହି ରାସ୍ତାରେ ପଥିକମାନେ ବଡ଼ ଭୟଭୀତ ଅବସ୍ଥାରେ ଯା’ଆସ କରୁଛନ୍ତି।

Advertisment

ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ଟ୍ରାଫିକ୍ ଭିଡ଼ ହ୍ରାସ କରିବା ପାଇଁ ଏହି ସମାନ୍ତରାଳ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଉତ୍କଳ ହସ୍ପିଟାଲରୁ ସାଲିଆସାହି ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହୋଇଛି। ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟ ଲଗାଯାଇଛି। ଏବେ ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକମାନେ ଯା’ଆସ କରୁଛନ୍ତି। ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ବୁଦ୍ଧ ପାର୍କ ଅଞ୍ଚଳର ଲୋକଙ୍କ କହିବା କଥା ଦିନ ବେଳା କୌଣସି ଅସୁବିଧା ନାହିଁ। କିନ୍ତୁ ସନ୍ଧ୍ୟା ହେଲେ ଜମୁଛି ଅସାମାଜିକଙ୍କ ଆଡ଼ା। ଉତ୍କଳ ହସ୍ପିଟାଲ ପାଖରୁ ସାଲିଆସାହି ଛକ ପର୍ଯ୍ୟନ୍ତ ବିଭିନ୍ନ ଅନ୍ଧାରିଆ ସ୍ଥାନରେ ନିଶାଡ଼ିମାନେ ମେଳି ବାନ୍ଧୁଛନ୍ତି। କେତେକ ନିର୍ଭୟରେ ରାସ୍ତା ଡିଭାଇଡର୍ ବସି ନିଶା ସେବନ କରୁଥିବା ବେଳେ ଆଉ କିଛି ରାସ୍ତା କଡ଼ରେ ନିଶା ବେପାର ଚଳାଉଛନ୍ତି। ଗଞ୍ଜେଇ, ମଦଠୁ ଆରମ୍ଭ କରି ଧଳାଜହର ପର୍ଯ୍ୟନ୍ତ ସବୁ ନିଶାର ପେଣ୍ଠ ପାଲଟିଛି ଏହି ରାସ୍ତା।

ବାଇକ୍‌ ଓ କାର୍‌ ଧରି ଆସୁଥିବା ନିଶା ବେପାରୀଙ୍କ ପାଖରେ ଭିଡ଼ ଲାଗୁଛି ନୂଆ ପିଢ଼ିର ନିଶାଡ଼ିମାନଙ୍କର। ବହୁ ସଂଖ୍ୟାରେ ନାବାଳକଙ୍କୁ ଏଠାରେ ନିଶାସକ୍ତ ଅବସ୍ଥାରେ ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେମାନଙ୍କ ଭିତରୁ ଅନେକ ବିଭିନ୍ନ ଦାମୀ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ବଡ଼ କଥା ହେଉଛି ନିଶାକୁ ନେଇ ବହୁ ସମୟରେ ଏହି ରାସ୍ତାରେ ଗୋଷ୍ଠୀ ସଂଘର୍ଷ ବି ଘଟୁଛି। ମାତ୍ର ସେମାନେ ପୁଲିସର ଦ୍ବାରସ୍ଥ ହେଉନାହାନ୍ତି। ତେଣୁ ରାତିରେ ଘଟୁଥିବା ବହୁ ଘଟଣା ଲୋକଲୋଚନକୁ ଆସିପାରୁନାହିଁ। ସେହିଭଳି ରାତିରେ ଲୋକଙ୍କ ଚଳପ୍ରଚଳ କମ ରହୁଥିବାରୁ ଲୁଟେରାମାନେ ବି ମଉକାକୁ ଚାହିଁବସୁଛନ୍ତି। କେହି ଏକୁଟିଆ ଯାଉଥିବା ବ୍ୟକ୍ତିଙ୍କୁ ଲୁଟ୍‌ କରିବାକୁ ସହଜ ହେଉଛି। ବିଶେଷକରି ଉତ୍କଳ ହସ୍ପିଟାଲକୁ ଯାଉଥିବା ରୋଗୀଙ୍କ ସମ୍ପର୍କୀୟ ଓ ହାଟବଜାରରୁ ଫେରୁଥିବା ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଲୁଟେରାମାନେ। ତେଣୁ ଭିଡ଼ ହେଉ ବା ଜାମ୍‌ରେ ଫସିବାକୁ ପଡ଼ୁ ପଛେ, ସାଙ୍ଗରେ ପରିବାର ଧରି କେହି ଏହି ରାସ୍ତାରେ ରାତିରେ ଯିବାକୁ ସାହସ କରୁନାହାନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ ରାତିରେ ଏହି ରାସ୍ତାରେ ପାଟ୍ରୋଲିଂ ହେଉଛି ବୋଲି କହିହେଉନାହିଁ। କାଁ ଭାଁ କେତେବେଳେ ପିସିଆର୍‌ ବୁଲୁଛି। ମାତ୍ର ରାତି ୮ଟା ପରେ ପୂରା ବନ୍ଦ। ଯଦି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ରାସ୍ତାରେ ପିସିଆର ଗାଡ଼ି ବୁଲନ୍ତା ତେବେ ଏଭଳି ସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ ଏବଂ ସ୍ଥାନୀୟ ଲୋକେ ନିର୍ଭୟରେ ଯାତାୟାତ କରିପାରନ୍ତେ।