ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ସ୍ବତ୍ବଲିପି ପାଇଁ ଆଜି ରାଜ୍ୟ ସରକାର ୨ ଜଣିଆ କମିଟି ଗଠନ କରିଛନ୍ତି। ଜଷ୍ଟିସ୍ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ପ୍ରଭୁ ଲିଙ୍ଗରାଜଙ୍କ ସେବା ପୂଜା କରୁଥିବା ବିଭିନ୍ନ ନିଯୋଗଙ୍କ ରେକର୍ଡ ଅଫ୍ ରାଇଟ୍ସ (ଆର୍ଓଆର୍)ର ସମୀକ୍ଷା କରିବା ସହ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ପୂର୍ବରୁ ଆଇନ ମନ୍ତ୍ରୀ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଆଜି ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଶ୍ରୀମନ୍ଦିର ଆଇନ୍-୧୯୫୨ ଅନୁସାରେ ଲକ୍ଷ୍ମଣ ପଣ୍ଡା ନାମକ ଜଣେ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ପୁରୀ ଶ୍ରୀମନ୍ଦିରର ସ୍ବତ୍ବଲିପି ପ୍ରସ୍ତୁତ କରିଥିଲେ। ଏହାକୁ ୧୯୬୦ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା। ଅନ୍ୟପଟେ ପ୍ରଭୁ ଲିଙ୍ଗରାଜଙ୍କ ସେବା ପୂଜା କ’ଣ, କେଉଁ ସେବାୟତ କେଉଁ ସେବା ପୂଜା କରନ୍ତି, କେମିତି ହୁଏ ନୀତିକାନ୍ତି, ଏହାର କୌଣସି ଲିଖିତ ନୀତିନିୟମ ନାହିଁ। ଏକାଦଶ ଶତାବ୍ଦୀର ପୁରାତନ ମନ୍ଦିର ହୋଇଥିଲେ ମଧ୍ୟ ଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳିତ ନୀତି ନିମନ୍ତେ ଏଯାଏ ସ୍ବତ୍ବଲିପି ପ୍ରସ୍ତୁତ କରାଯାଇନାହିଁ। ସ୍ବତ୍ବଲିପି ନଥିବାରୁ ସେବାୟତମାନଙ୍କ ମଧ୍ୟରେ ନୀତିକୁ ନେଇ ବାରମ୍ବାର ବିଭ୍ରାଟ ଦେଖାଦେଉଛି। ଗତ ସରକାରଙ୍କ ଖାମଖିଆଲ ପାଇଁ ୧୦ ବର୍ଷ ଭିତରେ ପ୍ରଭୁ ଲିଙ୍ଗରାଜଙ୍କ ଅନେକ ସେବା ପୂଜା ବନ୍ଦ ହୋଇଛି। କପିଳେଶ୍ବରଙ୍କ ହାଣ୍ଡିଭଙ୍ଗା ଯାତ୍ରାରେ ପ୍ରଭୁ ଲିଙ୍ଗରାଜ ଯାଉନାହାନ୍ତି। ଲିଙ୍ଗରାଜଙ୍କ ୨୨ଦିନ ଚନ୍ଦନ ଯାତ୍ରା ଓ ଶୀଳତ ଷଷ୍ଠୀକୁ କପିଳେଶ୍ବର ଆସୁନାହାନ୍ତି। ସେବାୟତଙ୍କ ବିବାଦ ପାଇଁ ଚଳିତ ବର୍ଷ ପ୍ରଭୁଙ୍କ ପଇତା ଲାଗି ନୀତି ଓ ମକର ସଂକ୍ରାନ୍ତି ନୀତି ବନ୍ଦ ହେଲା। ମକରମଣ୍ଡପରେ ଶୀତ କାକର, ଉପାସ ଭୋକରେ ରହିଲେ ପ୍ରଭୁ ଲିଙ୍ଗରାଜ। ଏହାପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସେବାପୂଜାର ସ୍ବତ୍ବଲିପି ପାଇଁ ଖୁବ୍ ଶୀଘ୍ର ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ କହିଥିଲେ।