ଭୁବନେଶ୍ବର: ୫୦ ବର୍ଷ ତଳର ଦୁଇ ମହଲା କୋଠା। ୨୦ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିପଡ଼ି ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। କାନ୍ଥ ସବୁ ଫାଟି ଆଁ କଲାଣି। ଗଛଲତା ମାଡ଼ି ଗଲାଣି କୋଠା ସାରା। ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହେଲାଣି। ତେଣୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏହା ହେଉଛି ବିଏମ୍‌ସି ୪୬ନମ୍ବର ୱାର୍ଡ ଅଧୀନସ୍ଥ କଟକରୋଡ୍‌‌ରେ ଥିବା ମତ୍ସ୍ୟ ନିର୍ଦ୍ଦେଶାଳୟର ପୁରାତନ ବରଫକଳ କୋଠାର ଅବସ୍ଥା।
ଅଞ୍ଚଳବାସୀଙ୍କ କହିବା କଥା ଏହି କଳ ୫୦ ବର୍ଷ ତଳେ ନିର୍ମାଣ ହୋଇଥିଲା।

Advertisment

ସେତେବେଳେ ରାଜଧାନୀରେ ଶୀତଳଭଣ୍ଡାର ସୁବିଧା ନଥିବାରୁ ଭୁବନେଶ୍ବରକୁ ବାହାରୁ ଆସୁଥିବା ମାଛ, ମାଂସ, ପନିପରିବା ଆଦି ସାଇତିବା ପାଇଁ ସମସ୍ୟା ହେଉଥିଲା। ସେତେବେଳେ ସ୍ଥାନୀୟ ବ୍ୟବସାୟୀମାନେ ଏହି କଳରୁ ବରଫ କିଣୁଥିଲେ। ସରକାରୀ ମତ୍ସ୍ୟ ବିଭାଗର ବରଫକଳ ହୋଇଥିବାରୁ ଅପେକ୍ଷାକୃତ କମ୍ ମୂଲ୍ୟରେ ବ୍ୟବସାୟୀମା‌ନେ ଏଠାରୁ ବରଫ କିଣିବା ସୁଯୋଗ ପାଉଥିଲେ। ମାତ୍ର କାଳକ୍ରମେ ବର୍ଦ୍ଧିତ ବିଦ୍ୟୁତ୍ ଦର ଓ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ଦର୍ଶାଇ ମତ୍ସ୍ୟ ବିଭାଗ ଏହାକୁ ୨୦୦୧ ମସିହାରେ ବନ୍ଦ କରିଦେଲା।

ସେବେଠୁ ଏହି କଳ ପରିତ୍ୟକ୍ତ ଅବସ୍ଥାରେ ରହିଗଲା ଓ ମରାମତି ଅଭାବରୁ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। କାନ୍ଥବାଡ଼ରେ ବଡ଼ବଡ଼ ଫାଟ ସୃଷ୍ଟି ହେବା ସହ ଗଛଲତା ମାଡ଼ି ଗଲାଣି। କେତେବେଳେ ନା‌ କେତେବେଳେ ଭୁଶୁଡ଼ି ପଡ଼ିବା ସ୍ଥିତିରେ ରହିଛି ଏହି ଦୁଇ ମହଲା କୋଠା। ଏହାର ଚାରିପଟେ ଜନବସତି ଲାଗି ରହିଛି। ତେଣୁ ଯଦି ଅକସ୍ମାତ ଏହି କୋଠା ଭାଙ୍ଗିପଡ଼େ, ତେବେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହେବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୪ ମସିହାରେ ମତ୍ସ୍ୟ ବିଭାଗ ପକ୍ଷରୁ ବରଫକଳର ଉପକରଣ ସବୁକୁ ତୁରନ୍ତ ବିକ୍ରି କରିବା ସହ ଦୁଇ ମାସ ମଧ୍ୟରେ ସେଠାରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏହା ଭିତରେ ଦୀର୍ଘ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ପୂର୍ବ ସ୍ଥିତି ରହିଛି। ତେଣୁ ଖୁବ୍‌ ଶୀଘ୍ର ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ବାସିନ୍ଦା ବାସୁଦେବ ସିହ୍ନା, ସହଦେବ ସାହୁ ପ୍ରମୁଖ ଦାବି କରିଛନ୍ତି। ଏ ସଂପର୍କରେ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ବିଶ୍ବାଳଙ୍କୁ ବାରମ୍ବାର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।