ଟ୍ରାଫିକ୍‌ କାନୁନ୍‌ ନଥିବା ନିଆରା ରାସ୍ତା

ଚନ୍ଦ୍ରଶେଖରପୁର: ଦୂରଦର୍ଶନ କେନ୍ଦ୍ର ସମ୍ମୁଖରେ ଆପୋଲ ହସ୍ପିଟାଲ ଦେଇ ଲମ୍ବିଥିବା ରାସ୍ତା। ରାଜଧାନୀରେ ଟ୍ରାଫିକ୍ କାନୁନ ନଥିବା ଏକ ନିଆରା ରାସ୍ତା ଭାବେ ଏହା ବେଶ୍ ପରିଚିତି ଲାଭ କରିଛି। ଦିନ ସାରା ସବୁ ସମୟରେ ଏହି ରାସ୍ତାରେ ଟ୍ରାଫିକ୍‌ ଜାମ୍‌। ରାସ୍ତାର ଦୁଇ କଡ଼ରେ ପୁଣି ରାସ୍ତା ମଧ୍ୟଭାଗକୁ ମଡ଼ାଇ ମନଇଛା ଗାଡ଼ି ପାର୍କିଂ କରାଯାଉଥିବାରୁ ସ୍ବାଭାବିକ ଭାବେ ଅନ୍ୟ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ସବୁବେଳେ ସମସ୍ୟାରେ ପଡ଼ୁଛନ୍ତି।

ଆଚାର୍ଯ୍ୟବିହାର-ନାଲ୍‌କୋ ଛକ ରାସ୍ତାକୁ ଲାଗିଥିବା ଏହି ରାସ୍ତାର ଆଇଏମ୍‌ଏମ୍‌ଟି ପାଖରୁ ସୈନିକ ସ୍କୁଲ ଗେଟ୍ ସାମ୍ନା ପର୍ଯ୍ୟନ୍ତ ଦୁଇ ପାର୍ଶ୍ବରେ ଲମ୍ବା ଲାଇନରେ ଗାଡ଼ି ପାର୍କିଂ କରାଯାଉଛି। ଦୁଇ କଡ଼ରେ ଶହ ଶହ ଚାରି ଚକିଆ ଗାଡ଼ି ପାର୍କିଂ କରାଯାଉଛି। ଘଣ୍ଟା ଘଣ୍ଟା ଧରି ଗାଡ଼ିଗୁଡ଼ିକ ରହୁଛି। ଅନେକ ସମୟରେ ସ୍ଥାନାଭାବ ହେଉଥିବାରୁ ବହୁ ଗାଡ଼ିଚାଳକ ଟ୍ରାକ୍ ଲାଇନ୍ ବାହାରେ ପାର୍କିଂ କରୁଛନ୍ତି। ମଝିରେ ଅଳ୍ପ କିଛି ରାସ୍ତା ରହୁଛି।

ଏହି ରାସ୍ତା ଜୟଦେବବିହାର-ନନ୍ଦନକାନନ ରାସ୍ତାକୁ ସଂଯୋଗ କରୁଥିବାରୁ ବହୁ ଲୋକଙ୍କ ଯାତାୟାତ ଲାଗିରହିଥାଏ। ଫଳରେ ଅନ୍ୟ ଗାଡ଼ି ଚଳାଚଳ କଲା ବେଳେ ଟ୍ରାଫିକ୍ ଜାମ୍‌ ସ୍ଥିତି ଉପୁଜୁଛି। ଏମିତିକି ଦୁଇଟି ଗାଡ଼ି ପରସ୍ପରକୁ ସାଇଡ୍‌ କରିବାକୁ ବି ରାସ୍ତା ମିଳୁନାହିଁ। ହାଇୱା ବା ଟ୍ରକ୍‌ ଭଳି ଦୁଇଟି ଗାଡ଼ି ସାଇଡ୍‌ କରିବାକୁ ହେଲେ କଥା ସରିଲା। ଟ୍ରାଫିକ୍‌ ଜାମ୍‌ ହେବା ଥୟ। ସେହିଭଳି ମଝି ରାସ୍ତା ଜାମ୍‌ ହେଉଥିବାରୁ ବହୁ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଛି ଓ ଏହାକୁ ନେଇ ଗଣ୍ଡଗୋଳ ଘଟୁଛି। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ବି ଟ୍ରାଫିକ୍‌ ପୁଲିସ ଏହି ଭିଡ଼ ନିୟନ୍ତ୍ରଣ କରୁନାହିଁ। ଫଳରେ ସାଧାରଣ ଲୋକେ ବର୍ଷ ବର୍ଷ ଧରି ଏହି ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ସମସ୍ୟାରେ ଫସିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର