ପିଛା ଛାଡ଼ୁନି ବିଭିନ୍ନ ଅଭାବ ସମସ୍ୟା: ହେଉନି ସୁପର ସ୍ପେସିଆଲିଟି ଆଧୁନିକୀକରଣ
କ୍ୟାପିଟାଲ୍ ହସ୍ପିଟାଲ୍ ଛାଡ଼ିବାକୁ ଚିଠି ଲେଖିଲେ ନ୍ୟୁରୋସର୍ଜନ
ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲ୍ର ସୁପର ସ୍ପେସାଲିଟି ବିଭାଗଗୁଡ଼ିକର ଆଧୁନିକୀକରଣ ହେଉନଥିବାରୁ ବିଭାଗୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। କେବଳ ଓପିଡିରେ ବସି ରୋଗୀ ଦେଖିବାକୁ ସେମାନେ ପସନ୍ଦ କରୁନାହାନ୍ତି। ଏହି ସବୁ ବିଭାଗରେ ରୋଗୀଙ୍କ ପାଇଁ ୱାର୍ଡ ନଥିବା ବେଳେ ଅପରେସନ୍ ଥିଏଟର (ଓଟି) ନଥିବାରୁ ସେମାନଙ୍କ ଅଭିଜ୍ଞତା ରୋଗୀଙ୍କ କାମରେ ଲାଗିପାରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏମିତିକି କିଛି ବିଶେଷଜ୍ଞ କ୍ୟାପିଟାଲ୍ ହସ୍ପିଟାଲ୍ ଛାଡ଼ିବାକୁ ପ୍ରସ୍ତୁତ ହେବା ଜଣାପଡ଼ିଛି। ନ୍ୟୁରୋସର୍ଜନ ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଚିଠି କରିଥିବା ଜଣାପଡ଼ିଛି। ତେଣୁ ସୁପରସ୍ପେସାଲିଟି ବିଭାଗର ଆଧୁନିକୀକରଣ ନ ହେଲେ, ଆହୁରି କିଛି ବିଶେଷଜ୍ଞ ନ୍ୟୁରୋସର୍ଜନଙ୍କ ବାଟ ଧରିବାର ଆଶଙ୍କା ଉପୁଜିଲାଣି। ଫଳରେ ଆଗକୁ କ୍ୟାପିଟାଲ୍ ହସ୍ପିଟାଲ୍ ସୁପରସ୍ପେସାଲିଟି ବିଭାଗ ଖୋଲିବା ଏକ ପ୍ରହସନରେ ପରିଣତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ପ୍ରତି ସୁପରସ୍ପେସିଆଲିଟି ବିଭାଗଗୁଡ଼ିକର ଓପିଡିରେ ରୋଗୀ ସଂଖ୍ୟା ବୃଦ୍ଧି ହେଉଛି। କିନ୍ତୁ ହୃଦ୍ରୋଗ ବିଭାଗକୁ ବାଦ୍ଦେଲେ ଏଣ୍ ଡୋକ୍ରାଇନୋଲୋଜି, ନେଫ୍ ରୋଲୋଜି, ୟୁରୋଲୋଜି, ପ୍ଲାଷ୍ଟିକ ସର୍ଜରି, ନ୍ୟୁରୋ ସର୍ଜରି, ନ୍ୟୁରୋଲୋଜି ବିଭାଗର ସ୍ବତନ୍ତ୍ର ୱାର୍ଡ ନାହିଁ କି ଓଟି ନାହିଁ। ତେଣୁ ଏହିସବୁ ବିଭାଗରେ କେବଳ ରୋଗୀମାନେ ବର୍ହିବିଭାଗ (ଓପିଡି)ରେ ଡାକ୍ତରଙ୍କ ପରାମର୍ଶ ନେଇ ଫେରୁଛନ୍ତି। ଗୁରୁତର ରୋଗୀମାନେ ବାଧ୍ୟ ହୋଇ ଭୁବନେଶ୍ବର ଏମ୍ସ କିମ୍ବା କଟକ ବଡ଼ ମେଡିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏଣେ ଏହାକୁ ନେଇ ଡାକ୍ତରମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେବଳ ଓପିଡିରେ ରୋଗୀ ଦେଖିବା ଛଡ଼ା ଅନ୍ୟ କିଛି କାମ ନଥିବାରୁ ସେମାନେ ବିରକ୍ତ ହୋଇଗଲେଣି। ଓପିଡିରେ ବସିବସି ସେମାନେ ପାଠ ଭୁଲି ଯାଉଥିବା ଅଭିଯୋଗ କରିଛନ୍ତି। ଏହି କାରଣ ଦର୍ଶାଇ ନ୍ୟୁରୋସର୍ଜନ ଏଠାରୁ ବଦଳି ହୋଇଯିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। ତେଣୁ ୱାର୍ଡ ଓ ଓଟି ପ୍ରତିଷ୍ଠା କରି ସୁପରସ୍ପେସାଲିଟି ବିଭାଗଗୁଡ଼ିକର ଆଧୁନିକୀକରଣ କରିବାକୁ ଦାବି ହେଉଛି।
ଅପରପକ୍ଷେ ନ୍ୟୁରୋଲୋଜି ବିଭାଗରେ ଏପର୍ଯ୍ୟନ୍ତ ଡାକ୍ତର ନିଯୁକ୍ତି ହୋଇପାରିଲା ନାହିଁ। କର୍ପସ ଫଣ୍ଡରେ ଯେଉଁ ଡାକ୍ତର ଯୋଗ ଦେଇଥା’ନ୍ତେ, ସେ ଯୋଗଦେଲେ ନାହିଁ। ପୂର୍ବ ଭଳି ନ୍ୟୁରୋଲୋଜି ଡାକ୍ତର ସପ୍ତାହକୁ ଗୋଟିଏ ଦିନ ଆସି ମାତ୍ର ୪୦ ରୋଗୀଙ୍କୁ ଦେଖୁଛନ୍ତି। ଏଥିପାଇଁ ପୂର୍ବ ରାତି ଅଧରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଧାଡ଼ିରେ ଛିଡ଼ା ହେଉଛନ୍ତି। ସେହିଭଳି ବର୍ତ୍ତମାନ ସୁଦ୍ଧା ରୁୢମାଟୋଲୋଜି, ହେପାଟୋଲୋଜି, ଗ୍ୟାଷ୍ଟ୍ ରୋଏଣ୍ଟୋରୋଲୋଜି ଆଦି ବିଭାଗ ଖୋଲିନାହିଁ। ପୂର୍ବରୁ ଗ୍ୟାଷ୍ଟ୍ ରୋଏଣ୍ଟରୋଲୋଜି ବିଭାଗ ଖୋଲା ଯାଇଥିଲା ଏବଂ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ କୋଭିଡ୍ ସମୟରେ ସେହି ଡାକ୍ତରଙ୍କ ବଦଳି ହୋଇଯିବା ପରେ ଉକ୍ତ ବିଭାଗ ବନ୍ଦ ହୋଇଯାଇଛି।
ସମସ୍ୟାର ସମାଧାନ ହେଉଛି, ରୋଗୀଙ୍କ ଭରସା ବଢ଼ୁଛି: ନିର୍ଦ୍ଦେଶକ
ଏନେଇ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କ କହିବା କଥା ହସ୍ପିଟାଲ୍ର ବିଭିନ୍ନ ସମସ୍ୟାକୁ ସମୟକ୍ରମେ ସମାଧାନ କରାଯାଉଛି। ତେଣୁ ଉତ୍ତମ ମାନର ଚିକିତ୍ସା ପାଉଥିବାରୁ ରୋଗୀଙ୍କ ଭରସା ବଢ଼ୁଛି। ପୂର୍ବରୁ ଏଠାକୁ ଦୈନିକ ହାରାହାରି ୨୫୦୦ ରୋଗୀ ଆସୁଥିଲେ। ଏବେ ଏହି ସଂଖ୍ୟା ୩୫୦୦ ରେ ପହଞ୍ଚିଛି। କିଛିଦିନ ମଧ୍ୟରେ ୪୦୦୦ ପାର୍ ହେବ ବୋଲି ଆକଳନ କରାଯାଉଛି। ପିଜିଆଇ ଖୋଲିବା ପରେ ସକାଳ ବେଳା ସହ ଅପରାହ୍ନଣ ୨ଟା ରୁ ୫ ଟା ପର୍ଯ୍ୟନ୍ତ ଓପିଡି ଖୋଲା ରହୁଛି। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ମାସକୁ ହାରାହାରି ପ୍ରାୟ ୧୦୦୦ ଶିଶୁ ଜନ୍ମ ହେଉଛନ୍ତି। ପିଜିଆଇ ହେବାଠାରୁ ବହୁ ଅଭିଜ୍ଞ ପ୍ରଫେସର ଯୋଗ ଦେଇଥିବାରୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି। ସୁପରସ୍ପେସାଲିଟି ବିଭାଗଗୁଡ଼ିକର ଆଧୁନିକୀକରଣ କରାଯିବାକୁ ପଦକ୍ଷେପ ନିଆଯାଉଛି। ସମୟକ୍ରମେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।
ବଢ଼ୁନି ରୋଗୀ ଶଯ୍ୟା
ରୋଗୀ ସଂଖ୍ୟା ବଢ଼ୁଥିଲେ ବି ସେହି ତୁଳନାରେ ଏଠାରେ ରୋଗୀ ଶଯ୍ୟା ନାହିଁ। ବହୁ ବର୍ଷ ହେଲା ୮୦୦ ଶଯ୍ୟାରେ ହସ୍ପିଟାଲ୍ ଚାଲିଛି। ଶଯ୍ୟା ସଂଖ୍ୟା ବଢ଼ାଇବା ପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷ ବାରମ୍ବାର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ। ତେବେ ହସ୍ପିଟାଲ୍ ଫଣ୍ଡ୍ରୁ ଅସ୍ଥାୟୀ ବେଡ୍ କିଣାଯାଇ ବାରଣ୍ଡାରେ ପକାଯାଇ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଶଯ୍ୟା ଅଭାବକୁ ନେଇ ବହୁଥର ଡାକ୍ତର ଓ ନର୍ସମାନଙ୍କ ସହ ରୋଗୀ ସମ୍ପର୍କୀୟମାନଙ୍କ ଝଗଡ଼ା ହେଉଥିବା ଦେଖାଯାଉଛି।
ଟେଷ୍ଟିଂରେ ବ୍ୟାପକ ଅନିୟମିତା
ଏଠାରେ ବିଭିନ୍ନ ଟେଷ୍ଟିଂରେ ବ୍ୟାପକ ଅନିୟମିତା ହେଉଥିବା ଅଭିଯୋଗ ହେଉଛି। ରୋଗୀ ସଂଖ୍ୟା ତୁଳନାରେ ମେସିନ ନଥିବାରୁ ସମସ୍ୟା ଉପୁଜୁଛି। ଅଲ୍ଟ୍ରାସାଉଣ୍ଡ୍ ରିପୋର୍ଟ ପାଇଁ ରୋଗୀମାନଙ୍କୁ ପ୍ରାୟ ଗୋଟିଏ ମାସ ଅପେକ୍ଷା କରିବାକୁ ପଡ଼ୁଛି। ଗୋଟିଏ ମାତ୍ର ଅଲ୍ଟ୍ରାସାଉଣ୍ଡ୍ ମେସିନ ପାଇଁ ଏଭଳି ସମସ୍ୟା ହେଉଛି। ସେହିଭଳି ଡାୟାଲେସିସ୍ରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି। ଏନେଇ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ଏକ୍ସ-ରେ ବିଭାଗରେ ମଧ୍ୟ ସମାନ ଅବସ୍ଥା। ଏଠାରେ ଫଟୋ ଉଠାଯାଉଛି, କିନ୍ତୁ ରିପୋର୍ଟ ଦିଆଯାଉନାହିଁ। ଡାକ୍ତର ଫଟୋକୁ ଦେଖି ରୋଗୀଙ୍କୁ ପରାମର୍ଶ ଦେଉଛନ୍ତି। ଏମ୍ଆର୍ଆଇ କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି। ଦୁଇଟି ମେସିନରୁ ଗୋଟିଏ ମେସିନ ଖରାପ ହୋଇପଡ଼ିଛି।
ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମାଗାର ନାହିଁ
କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ବା ଆଟେଣ୍ଡାଣ୍ଟଙ୍କ ପାଇଁ ହସ୍ପିଟାଲ୍ ପରିସରରେ ରହିବା ବ୍ୟବସ୍ଥା ନାହିଁ। ତେଣୁ ସେମାନେ ବାରଣ୍ଡାରେ କିମ୍ବା ଗଛ ତଳେ ବିଶ୍ରାମ ନେଉଛନ୍ତି। ଖରା, ବର୍ଷା, ଶୀତ କାକରରେ ଖୋଲା ଆକାଶ ତଳେ ସେମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ସେହିଭଳି ହସ୍ପିଟାଲ ପରିସରରେ ଫୁଡ୍କୋର୍ଟ ନଥିବାରୁ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଏଠାରେ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ଥିବା ସତ୍ତ୍ବେ ସବୁ ୱାର୍ଡକୁ ତଥା ସବୁ ରୋଗୀ ଶଯ୍ୟାକୁ ପାଇପ୍ ସଂଯୋଗ ହୋଇପାରିନାହିଁ।