ଜଟଣୀ: ଆଜି ଅପରାହ୍ଣରେ ଜଟଣୀ ଥାନା ଅନ୍ତର୍ଗତ ବରଅରା ଗାଁରେ ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରଥମେ ଜଣେ ମହିଳାଙ୍କୁ ଧାନ ବିଲରେ ମାଡ଼ ମାରି ଲହୁଲୁହାଣ କରିବା ପରେ ଯୁବକଜଣକ ଗାଁରେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ତା’ର ମିନିଟ୍ରକ୍‌କୁ ମଡ଼ାଇ ଦେଇଛି। ଗାଡ଼ି ଧକ୍କାରେ ୩ ମହିଳାଙ୍କ ସମେତ ୫ଜଣ ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଜଣକର ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଘଟଣାପରେ ଯୁବକଜଣକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି ଏବଂ ଜଟଣୀ ଥାନା ପୁଲିସ ମିନିଟ୍ରକ୍‌କୁ ଜବତ କରିଛି। ମାତ୍ର ଫେରାର ହୋଇଯାଇଥିବା ରଜତ ନାମକ ସେହି ଯୁବକକୁ ପୁଲିସ ଠାବ କରିପାରିନାହିଁ। ରଜତ ଏଭଳି କାଣ୍ଡ ଘଟାଇବା ପଛରେ କି କାରଣ ରହିଛି, ସ୍ପଷ୍ଟ ହୋଇନାହିଁ। ପ୍ରଥମେ ତା’ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ସହ ତା’ର ପୂର୍ବ ଶତ୍ରୁତାକୁ ନେଇ ସେ ଏଭଳି କାଣ୍ଡ ଭିଆଇଛି ବୋଲି କୁହାଯାଉଛି। 

Advertisment

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଅଭିଯୋଗକାରିଣୀ ରେଣୁବାଳା ଜେନା ଅପରାହ୍‌ଣ ପ୍ରାୟ ୧ଟା ବେଳେ ନିଜ ଜମିକୁ ଯାଉଥିଲେ। ବିଲରେ କାମ କରୁଥିବା ଲୋକଙ୍କ ପାଇଁ ଖାଦ୍ୟ ନେଇ ସେ ଯାଉଥିଲେ। ବାଟରେ ଜଗି ରହିଥିବା ଅଭିଯୁକ୍ତ ରଜତ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ପ୍ରାଣବିକଳରେ ରେଣୁବାଳା ଗାଁକୁ ଧାଇଁ ଆସି ସାହିବାସୀଙ୍କୁ ଜଣାଇଥିଲେ। ଏହା ଶୁଣିବା ପରେ ସାହି ଲୋକେ ରଜତକୁ କାବୁ କରିବା ପାଇଁ ଏକାଠି ହୋଇଥିଲେ। କିନ୍ତୁ ହଠାତ୍ ରଜତ ଏକ ମିନିଟ୍ରକ୍‌ ଚଳାଇ ସାହି ଭିତରକୁ ମାଡ଼ି ଆସିଥିଲା ଏବଂ ମେଳିବାନ୍ଧିଥିବା ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇ ଦେଇଥିଲା। ଜୀବନ ବିକଳରେ ଲୋକେ ଏଣେତେଣେ ଧାଇଁଥିଲେ ମଧ୍ୟ ୩ଜଣ ମହିଳା ଓ ୨ଜଣ ପୁରୁଷ ଗାଡ଼ି ଧକ୍କାରେ ଗୁରୁତର ହୋଇପଡ଼ିଥିଲେ। କିନ୍ତୁ ଘଟଣା ପରେ ରଜତ ଗାଡ଼ି ନେଇ ସାହିରୁ ବାହାରି ପାରିନଥିଲା। ପାଟିତୁଣ୍ଡ ଓ ଚିତ୍କାର ଶୁଣି ସାହିର ଲୋକେ ‌ଘେରି ଯିବାରୁ ରଜତ ଗାଡ଼ି ଛାଡ଼ି ଦୌଡ଼ିଥିଲା। ସାହିର ଯୁବକମାନେ ତାକୁ ପିଛା କରିଥିଲେ ହେଁ ସେ ଫେରାର ହେବାରେ ସକ୍ଷମ ହୋଇଥିଲା। ଖବର ପାଇ ଜଟଣୀ ଥାନା ପୁଲିସ ଗାଁରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ୍‌ ପଠାଇଥିଲା ଏବଂ ରଜତର ମିନିଟ୍ରକ୍‌କୁ ଜବତ କରିଥିଲା। ଗାଁରେ ଏବେ ଉତ୍ତେଜନା ଲାଗି ରହିଛି ଏବଂ ରଜତକୁ ତୁରନ୍ତ ଗିରଫ କରିବାକୁ ଲୋକେ ପୁଲିସ ନିକଟରେ ଦାବି କରିଛନ୍ତି। ପୁଲିସ ସୂଚନାନୁସାରେ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରହିଛି ଏବଂ ଖୁବ୍‌ଶୀଘ୍ର ରଜତକୁ ଗିରଫ କରାଯିବ।