ଭୁବନେଶ୍ବର: ଆଜି ଦ୍ବିତୀୟ ଶନିବାର ଅବସରରେ ଓଡ଼ିଶା ଅଗ୍ନିଶମ ସେବା ପ୍ରଶିକ୍ଷଣ ପ୍ରତିଷ୍ଠାନ(ଓଫ୍ଡ୍ରା)ରେ ଅନୁଷ୍ଠିତ ହୋଇଥିବା ଫାୟାର୍ ପାର୍କ ପରିଦର୍ଶନରେ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ। ପ୍ରଥମ ଶନିବାର ଭଳି ଆଜି ମଧ୍ୟ ଓଫ୍ଡ୍ରାରେ ଜନସାଧାରଣଙ୍କୁ ବିପର୍ଯ୍ୟୟରୁ ରକ୍ଷା କରିବାର ବିଭିନ୍ନ କଳା କୌଶଳ ଶିକ୍ଷା ଦିଆଯାଇଥିଲା। ଏହି ଅବସରରେ ଦେଶାତ୍ମବୋଧ ଗୀତର ଧୁନ୍ ଦର୍ଶକମାନଙ୍କ ମନ ମୋହିଥିଲା।
ଫାୟାର୍ ପାର୍କର ମୂଳ ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ଆଜି କିସ୍ରୁ ୫୦ରୁ ଅଧିକ ଛାତ୍ରଛାତ୍ରୀ ଆସିଥିଲେ। ଓଫ୍ଡ୍ରା ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସ୍ବାଗତ କରାଯାଇଥିଲା। ପରେ ପରେ ବନ୍ଦେ ମାତରଂ, ବନ୍ଦେ ଉତ୍କଳ ଜନନୀ, ଆର୍ଯ୍ୟ ଭୂମି ଭଳି ପ୍ରମୁଖ ଦେଶାତ୍ମବୋଧ ଗୀତର ଧୁନ୍ ବାଜିଥିଲା। କାର୍ଯ୍ୟକ୍ରମ ପ୍ରତି ଲୋକଙ୍କୁ ଅଧିକ ଆକୃଷ୍ଟ କରାଇବା ପାଇଁ ମନୋରଂଜନକୁ ମାଧ୍ୟମ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କୁ ଚେୟାର୍ମ୍ୟାନ୍ ନଟ୍ ପକାଇ ଲୋକଙ୍କୁ କେମିତି ଉଚ୍ଚ ଅଟ୍ଟାଳିକାରୁ ତଳକୁ ଓହ୍ଲାଇ ଦିଆଯିବ, ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ନିଆଁକୁ ମୁକାବିଲା କରିବା ପାଇଁ ଫାୟାର୍ ବଲ୍ର ଉପଯୋଗ ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଇଥିଲା। ଆଗାମୀ ଦିନରେ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ସାମିଲ କରାଯିବା ପାଇଁ ସ୍କୁଲ୍ ଓ କଲେଜ୍ମାନଙ୍କ ସହ ଯୋଗାଯୋଗ କରାଯାଉଛି ବୋଲି ଓଫ୍ଡ୍ରାର ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ସୂଚନା ଦେଇଥିଲେ।