ଉଦ୍‌ଯାପିତ ହେଲା ‘ଅସୀମ ଉତ୍ସବ’ : ବାପ-ପୁଅ ମଧ୍ୟରେ ପାଚେରି ସାଜିଲା ‘ସାଇକଲ୍’

ଭୁବନେଶ୍ବର: ‘ଏଇଟା କେବଳ ସାଇକଲ୍ ନୁହେଁ। ଆମ ଗରିବଙ୍କ ଜୀବନ ବାହକ। ଏ ସାଇକଲ୍ ଯେତେ ଦିନ ଗଡ଼ୁଥିବ ଆମ ସଂସାର ଚକ ସେତେ ଆଗକୁ ମାଡ଼ି ମାଡ଼ି ଚାଲୁଥିବ।’ ଏହା ଥିଲା ଗରିବ ବାପର କଥା। କିନ୍ତୁ ନଛୋଡ଼ବନ୍ଧା ପୁଅ ସାଇକଲ୍ ବଦଳରେ ମୋଟର ସାଇକଲ୍‌ଟିଏ କିଣିବା ପାଇଁ ଅଡ଼ି ବସୁଛି। ବାଇକ୍‌ଟିଏ କିଣି ପାରିଲେ, ତା’ ଜୀବନର ବଡ଼ ପରିବର୍ତ୍ତନ ହେବ ବୋଲି ପୁଅ ଭାବୁଛି। ‌ଶେଷରେ ସାଇକଲ୍ ବାପା-ପୁଅଙ୍କ ଭିତରେ ପାଚେରି ହୋଇ ଠିଆ ହେଉଛି। ଔପନ୍ୟାସିକ ଚିତ୍ତରଂଜନ ଚିରଂଜିତଙ୍କ ଦ୍ବାରା ଲିଖିତ ଉପନ୍ୟାସ ‘ସାଇକଲ୍‌’ର ନାଟ୍ୟ ରୂପାନ୍ତର ଆଜି ଚତୁର୍ଥ ‘ଅସୀମ ଉତ୍ସବ’ ଉଦ୍‌ଯାପନୀ ସନ୍ଧ୍ୟାରେ ଦର୍ଶକମାନଙ୍କୁ ଭାବବିହ୍ବଳ କରିଥିଲା। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅସୀମ ବସୁ ଫାଉଣ଼୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି ନାଟ୍ୟୋତ୍ସବରେ ଅତିଥି ଭାବେ ‘ସମ୍ବାଦ’ ବାର୍ତ୍ତା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ, ଇଡ୍‌କୋ ମହାପ୍ରବନ୍ଧକ ଗଣେଶ୍ବର ଜେନା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ, ଓଡ଼ିଶା ନାଟ୍ୟ ସଂଘର ସଂପାଦକ ଲାଲା ବିରେନ୍ ରାୟ ପ୍ରମୁଖ ଉପସ୍ଥିତ ରହି ଅସୀମ ବସୁଙ୍କ ସ୍ମୃତି ଚାରଣ କରିଥିଲେ।

ଏହି ଅବସରରେ ତରୁଣ ଔପନ୍ୟାସିକ ଚିତ୍ତରଂଜନ ଚିରଂଜିତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅସୀମ ବସୁ ଫାଉଣ୍ଡେସନର ସମ୍ପାଦକ ପବିତ୍ର ମୋହନ କର ମଞ୍ଚ ସଂଚାଳନ କରିଥିଲେ। ଦେବଦତ୍ତ ପତିଙ୍କ ନିର୍ଦ୍ଦେଶନା ଓ ଚକ୍ରଧର ପାତ୍ରଙ୍କ ସହ ନିର୍ଦ୍ଦେଶନା ସାଙ୍ଗକୁ ପ୍ରତାପ ରାଉତଙ୍କ ସଂଗୀତ ନାଟକକୁ ବେଶ୍ ମନଛୁଆଁ କରିଥିଲା। ବିଭିନ୍ନ ଚରିତ୍ରରେ ପ୍ରସନ୍ନ ମିଶ୍ର, ଚକ୍ରଧର, ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ନିଶିକାନ୍ତ, ଜଗନ୍ନାଥ, ଦେବଳେନ୍ଦୁ, ରାଣେଶ, ରାକେଶ, ମନୋଜ, ରୂପେଶ, ରାଜ୍‌, ଅମିତ୍‌, ଆଶୁତୋଷ, ପ୍ରଣତି, ପ୍ରିୟଙ୍କା ପ୍ରମୁଖ ନିଖୁଣ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର