ଚନ୍ଦ୍ରଶେଖରପୁର: କାହା ହାତରେ ବାଲତି। ତ ଆଉ କାହା କାଖରେ ଗରା। କେହି କେହି ବଡ଼ ଡ୍ରମ୍‌ ଧରି ଧାଡ଼ିରେ ଛିଡ଼ା ହୋଇଛନ୍ତି। ଛୋଟ ଛୁଆଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଛନ୍ତି କେତେବେଳେ ସେମାନଙ୍କ ପାଳି ଆସିବ। ମୁନ୍ଦାଏ ପାଣି ପାଇଁ ସମସ୍ତେ ଯେପରି ଚାତକ ପରି ଚାହିଁ ରହିଛନ୍ତି। ଏହାରି ଭିତରେ ଜଣେ ମହିଳା ପହଞ୍ଚି କାକୁତି ମିନତି ହୋଇ ତାଙ୍କ ସାହିକୁ ପାଣି ଟ୍ୟାଙ୍କର ନେବାକୁ ଡ୍ରାଇଭରଙ୍କୁ ନିବେଦନ କରୁଛନ୍ତି। ଏହା ଓଡ଼ିଶାର କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ। ବରଂ ରାଜଧାନୀର ଛାତି ଉପରେ ପାଣି ପାଇଁ ଆଜି ଏଭଳି ହାହାକାର ପରିସ୍ଥିତି ଉପୁଜିଥିଲା। ବାଲତିଏ ପାଣି ପାଇବାକୁ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। କେହି କେହି ନିରାଶ ମଧ୍ୟ ହୋଇଛନ୍ତି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅନ୍ତର୍ଗତ ୨୧ ନମ୍ବର ୱାର୍ଡର ଆଦିବାସୀ ଗାଁରେ ଆଜି ଏଭଳି ସ୍ଥିତି ନଜରକୁ ଆସିଥିଲା।

Advertisment

କେବଳ ଏହି ଗୋଟିଏ ସ୍ଥାନ ନୁହେଁ। ସାଲିଆସାହି ସମେତ ଏହାର ଆଖପାଖ ଅଞ୍ଚଳରେ ପାଇପ୍‌ ପାଣି ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକେ ଦୁଇ ଦିନ ହେଲା ଏଭଳି ସମସ୍ୟାର ସମ୍ନା କରିଛନ୍ତି। ବସ୍ତିବାସିନ୍ଦାଙ୍କଠାରୁ ଆରମ୍ଭ କରି ଆପାର୍ଟମେଣ୍ଟର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଇପ୍‌ ପାଣି ଆସୁ ନ ଥିବାରୁ କାହା ଘରେ ରୋଷେଇ ହୋଇପାରି ନ ଥିଲା ତ ଆଉ କାହା ଘରେ ଶୌଚାଳୟ ଯାଇପାରି ନାହାନ୍ତି। କିଛି ପରିବାରରେ ଚୂଲି ଜଳିପାରି ନାହିଁ। ଅଞ୍ଚଳରେ ଥିବା ନଳକୂଳଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ ସମସ୍ୟା ଆହୁରି ଜଟିଳ ହୋଇଛି। ସାଲିଆସାହିର ସୁକାନ୍ତି ବରାଳଙ୍କ ଅଭିଯୋଗ ଅନୁଯାୟୀ ଦୁଇ ଦିନ ହେଲା ପାଇପ୍‌ ପାଣି ଆସୁ ନାହିଁ। କାହିଁକି ଆସୁନି ପଚାରିଲେ କେହି କିଛି କହୁନାହାନ୍ତି। ପାଣି ଆସୁ ନଥିବାରୁ ସକାଳୁ ପାଣି ଟ୍ୟାଙ୍କର ପହଞ୍ଚି ଯେଉଁ ପାଣି ଦେଉଛି ତାହା ସମୁଦ୍ରକୁ ଶଙ୍ଖେ। ଟାଣ ଖରାରେ ଛିଡ଼ା ହେବାକୁ ପଡ଼ୁଛି। ଗୋଟିଏ ସାହିରୁ ଆଉ ଗୋଟିଏ ସାହିକୁ ଟ୍ୟାଙ୍କର ଗଲା ବେଳକୁ ପାଣି ସରିଯାଉଛି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସାଲିଆସାହି ସମେତ ଉତ୍ତର ଭୁବନେଶ୍ବରର କେତେକ ଅଞ୍ଚଳକୁ ମହାନଦୀରୁ ପାଣି ସପ୍ଲାଏ ହେଉଛି। ମୁଣ୍ଡୁଳିରୁ ଭୁବନେଶ୍ବରକୁ ପାଣି ସପ୍ଲାଏ ପାଇଁ ବିଛାଯାଇଥିବା‌ ପାଣି ପାଇପ୍‌ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ଫାଟି ଯାଇଥିବାରୁ ଏଭଳି ସମସ୍ୟା ଉପୁଜିଛି। ପାଣି ସଂରକ୍ଷିତ ହେଉଥିବା ମୁଖ୍ୟ ଟାଙ୍କିରୁ ସହରରେ ଥିବା ଓଭରହେଡ୍‌ ପାଣି ଟାଙ୍କିଗୁଡ଼ିକୁ ପାଣି ସପ୍ଲାଏ ବନ୍ଦ ହୋଇଯାଇଥିବାରୁ ଲୋକେ ପାଇପ୍‌ ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଲୋକେ ଯେପରି ଅସୁବିଧା ନ ହେବେ ସେଥିପାଇଁ ଟ୍ୟାଙ୍କରରେ ପାଣି ଯୋଗାଣ ‌କରାଯାଇଥିଲା। ରାତି ସୁଦ୍ଧା ଅଭୟାରଣ୍ୟ ଭିତରେ ଫାଟିଥିବା ପାଣି ପାଇପ ମରାମତି ହୋଇଥିବା ଜଣାପଡ଼ିଛି।