ବାଲିପାଟଣା: ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକ୍ରି ଉପରେ ଅଙ୍କୁଶ ଲାଗିଛି। ଫଳରେ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ରାଜଧାନୀ ଉପକଣ୍ଠ ବାଲିପାଟଣା ବସନ୍ତମାଳ ପେଟ୍ରୋଲ୍ ପମ୍ପରେ ଜଣେ ଚାଷୀ ପାଣିପମ୍ପକୁ ସାଇକେଲ୍ରେ ଲଦି ତେଲ ପକାଇବାକୁ ଆସିଥିବା ଦେଖିବାକୁ ମିଳିଛି। ଚାଷୀ ଜଣକ ହେଉଛନ୍ତି କୁରୁଞ୍ଚିପୁର ପଞ୍ଚାୟତ ସୋଦୁଅ ଗ୍ରାମର ତୋଫାନ ଭୋଇ।
ତୋଫାନ ତାଙ୍କ ବିଲରେ ତଳି ପକାଇଥିଲେ। ୩-୪ ଦିନ ତଳେ ତଳି ଶୁଖିଯାଉଥିବାରୁ ପାଣି ମଡ଼ାଇବା ପାଇଁ ପମ୍ପ୍ ଲଗାଇଥିଲେ। ହେଲେ ତେଲ ସରିଯାଇଥିଲା। ତେଣୁ ଏକ ପ୍ଲାଷ୍ଟିକ୍ ବୋତଲରେ ତେଲ ଆଣିବାକୁ ସେ ଉପରୋକ୍ତ ପେଟ୍ରୋଲ୍ ପମ୍ପ୍କୁ ଆସିଥିଲେ। କିନ୍ତୁ ସରକାରୀ ନିୟମର ଦ୍ବାହି ଦେଇ ପମ୍ପ୍ କର୍ମଚାରୀ ତାଙ୍କୁ ଫେରାଇ ଦେଇଥିଲେ। ଯେଉଁଥିପାଇଁ ପମ୍ପକୁ ସାଙ୍ଗରେ ଆଣି ତେଲ ପକାଇବାକୁ ଆସିବାକୁ ସେ ବାଧ୍ୟ ହୋଇଥିଲେ। ତେଣୁ ସାଇକେଲ ପଛପଟରେ ପମ୍ପ୍ ବାନ୍ଧି ତେଲ ଟାଙ୍କିକୁ ଆସିଥିଲେ। ତେଲ ପକାଇ ଯିବା ପରେ ସେ ତାଙ୍କ ବିଲରେ ପାଣି ମଡ଼ାଇଥିବା କହିଛନ୍ତି।
ଅନ୍ୟପକ୍ଷରେ ଚାଷ ଋତୁ ଚାଲିଥିବା ବେଳେ ପେଟ୍ରୋଲ ଆବଶ୍ୟକ ହେଲେ ଚାଷୀଙ୍କ ମୁଣ୍ଡ ଘାରୁଛି। କାଚ ବୋତଲରେ ପେଟ୍ରୋଲ ନେବା ସମ୍ଭବ ହେଉ ନାହିଁ। କିନ୍ତୁ ସ୍ଥାନୀୟ ଅଞ୍ଚଳର ବହୁ ସ୍ଥାନରେ ଦୋକାନରେ ପ୍ଲାଷ୍ଟିକ ବୋତଲରେ ଖୁଲମ୍ଖୁଲା ପେଟ୍ରୋଲ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି।