ଭୁବନେଶ୍ବର: ଲୋଭ ସବୁବେଳେ ମଣିଷକୁ କ୍ଷତି ପହଞ୍ଚାଇଥାଏ। ବାରମ୍ବାର ବିଭିନ୍ନ ପ୍ଲାଟଫର୍ମରେ ସଚେତନତା ସୃଷ୍ଟି କରାଯାଉଥିବା ପରେ ବି ସେୟାର୍ ଟ୍ରେଡିଂ ମାୟାରେ ପଡ଼ି ଉଚ୍ଚଶିକ୍ଷିତ ଲୋକେ ସାଇବର ଠକଙ୍କ ଶିକାର ହେଉଛନ୍ତି। କମ୍ ସମୟରେ ପୁଞ୍ଜିନିବେଶରୁ ପୁଳାପୁଳା ଫାଇଦା ପାଇବା ଲୋଭରେ ସେମାନେ କୋଟିକୋଟି ଟଙ୍କା ହରାଉଛନ୍ତି। ପ୍ରାୟ ସବୁଦିନ ଖବରକାଗଜ ପୃଷ୍ଠାରେ ଏଭଳି ଠକେଇ ଖବର ବଡ଼ବଡ଼ ଶିରୋନାମାରେ ପ୍ରକାଶ ପାଉଛି। ଟିଭିରେ ମଧ୍ୟ ଏଭଳି ଖବର ପ୍ରସାରଣ କିଛି କମ୍ ନୁହେଁ। ତଥାପି ସାଇବର ଠକଙ୍କ ଚାଲ୍ କାମ କରୁଛି। ଏବେ ପୁଣି ଏକ ଠକେଇକୁ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି। ଜଣେ ମହିଳାଙ୍କୁ ସାଇବର ଠକ ୭ ଲକ୍ଷର ଚୂନ ଲଗାଇଛି।
ଅଭିଯୋଗ ଅନୁସାରେ ମହିଳାଜଣକ ଏକ ହ୍ବାଟସ୍ଆପ୍ ମେସେଜ୍ରୁ ସେୟାର୍ ଟ୍ରେଡିଂ ବାବଦରେ ସୂଚନା ପାଇଥିଲେ। ଲିଙ୍କ୍କୁ ଯିବା ପରେ ତାଙ୍କୁ ଏକ ଗ୍ରୁପ୍ରେ ଯୋଡ଼ି ଦିଆଯାଇଥିଲା। ବିନିଯୋଗ ଉପରେ ବାର୍ଷିକ ୨୫ ପ୍ରତିଶତ ରିଟର୍ଣ୍ଣ ମିଳିବ ବୋଲି ପ୍ରଲୋଭିତ କରାଯାଇଥିଲା। ମହିଳାଜଣକ ପ୍ରଥମେ ୫ ହଜାର ଟଙ୍କା ଖଟାଇଥିଲେ ଏବଂ ତାଙ୍କ ଭର୍ଚୁଆଲ୍ ଆକାଉଣ୍ଟରେ ୧୨୦୦ ଟଙ୍କା ଅଧିକ ଦେଖାଯାଇଥିଲା। ଏମିତି ବିଭିନ୍ନ ପର୍ଯ୍ୟାୟରେ ସେ ୭ ଲକ୍ଷ ଟଙ୍କା ବିନିଯୋଗ କରିଦେଲେ ଏବଂ ତାଙ୍କ ଭର୍ଚୁଆଲ୍ ଆକାଉଣ୍ଟରେ ୧୪ ଲକ୍ଷ ଟଙ୍କା ଜମା ହୋଇଥିବା ଦେଖାଯାଇଥିଲା। ଏଥର ସେ ଟଙ୍କା ଉଠାଇବାକୁ ଆବେଦନ କରିଥିଲେ। ମାତ୍ର ଏହାର କିଛି ସମୟ ପରେ ତାଙ୍କ ମୋବାଇଲ୍ରୁ ଉକ୍ତ ଗ୍ରୁପ୍ ଗାଏବ୍ ହୋଇଯାଇଥିଲା। ସେ ଫୋନ୍ କରି ଯୋଗାଯୋଗ କରିବାକୁ ଚେଷ୍ଟା କଲେ, କିନ୍ତୁ ସବୁ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଠକାମିର ଶିକାର ହେବା ନିଶ୍ଚିତ ହେବା ପରେ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେହିପରି ଆଧାରକାର୍ଡ ଅପ୍ଡେଟ୍ କରିବାକୁ ଯାଇ ଜଣେ ବ୍ୟକ୍ତି ୩ଲକ୍ଷ ୧୦ ହଜାର ଟଙ୍କା ହରାଇଛନ୍ତି। ହଠାତ୍ ଏକ ଅଜଣା ନମ୍ବରରୁ ତାଙ୍କୁ ଫୋନ୍ ଆସିଥିଲା ଏବଂ ଆଧାରକାର୍ଡ ଅପ୍ଡେଟ୍ ନ କଲେ, ତାହା ଅଚଳ ହୋଇଯିବ ବୋଲି କହିଥିଲା। ଏହା କୌଣସି ସାଇବର ଠକର ଚାଲ୍ ବୋଲି ସେ ବୁଝିପାରିନଥିଲେ। ତେଣୁ ସେ ଫୋନ୍ କରିଥିବା ବ୍ୟକ୍ତିଙ୍କୁ ତାଙ୍କର ଆଧାରକାର୍ଡ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସେୟାର କରିଦେଲେ। ହଠାତ୍ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୧୦ ହଜାର ଟଙ୍କା କଟିଗଲା।
ସେ କୌଣସି ପ୍ରକାର ଓଟିପି ସେୟାର କରିନଥିଲେ ମଧ୍ୟ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଡ଼ିଗଲା ବୋଲି ଅଭିଯୋଗ କରିଛନ୍ତି। ଅପରପଟେ କ୍ରେଡିଟ୍ କାର୍ଡ କରିବାକୁ ଯାଇ ଜଣେ ବ୍ୟକ୍ତି ୯୧ ହଜାର ଟଙ୍କା ହରାଇଛନ୍ତି। ଭୁବନେଶ୍ବରରେ ରହୁଥିବା ଜଗତସିଂହପୁର ରାହାମାର ଏହି ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ସେ କ୍ରେଡିଟ୍ କାର୍ଡ କରିବାକୁ ଚାହୁଛନ୍ତି କି ବୋଲି ତାଙ୍କ ମୋବାଇଲ୍କୁ ଏକ ମେସେଜ୍ ଆସିଥିଲା। ହ୍ବାଟସ୍ଆପ୍ରେ ଆସିଥିବା ଏହି ମେସେଜ୍ ଅନୁସାରେ ସେ ଲିଙ୍କ୍କୁ ଯାଇ ଫର୍ମ ପୂରଣ କରିଥିଲେ। ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟର ସମସ୍ତ ତଥ୍ୟ ଫର୍ମରେ ଉଲ୍ଲେଖ କରିଥିଲେ। କିଛି ସମୟ ପରେ ତାଙ୍କ ମୋବାଇଲ୍କୁ ଏକ ଓଟିପି ନମ୍ବର ଆସିଥିଲା। ସେପଟୁ ଓଟିପି ନମ୍ବର ମାଗିବାରୁ ଆବେଦନକାରୀ ଭୟ କରି ସେହି ନମ୍ବର ସେୟାର କରିନଥିଲେ। ତଥାପି ତାଙ୍କ ଆକାଉଣ୍ଟରୁ ୯୧ ହଜାର ଟଙ୍କା କଟି ଯାଇଥିଲା। ଏହି ଠକେଇକୁ ନେଇ ଆଜି ସେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।