ଭୁବନେଶ୍ବର: ପାଚେରି ଭୁଶୁଡ଼ି ପଡ଼ିବାରୁ ପଥର ତଳେ ଚାପି ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ଆଜି ଭରତପୁର ଥାନା କଳିଙ୍ଗନଗର କେ-୮ ଅଞ୍ଚଳରେ ଘଟିଛି। ମୃତ ମହିଳା ଶ୍ରମିକ ହେଲେ ଗଞ୍ଜାମ ପୁରୁଷୋତ୍ତମପୁର ଅଞ୍ଚଳର କମଳା ରେଡ୍ଡୀ(୩୩) ଏବଂ ଆହତ ଜଣକ ହେଲେ ଶିବାନୀ ‌ରେଡ୍ଡୀ। ଭରତପୁର ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇବା ସହ ଆହତ ଶିବାନୀଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଛି। ଶିବାନୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Advertisment

ସୂଚନା ମୁତାବକ ଗତ କିଛି ଦିନ ହେବ ଉଭୟ କମଳା ଓ ଶିବାନୀ କଳିଙ୍ଗନଗର କେ-୮ ଅଞ୍ଚଳରେ ରାଧାଗୋବିନ୍ଦ ଫ୍ୟୁଚର ସଲ୍ୟୁସନ୍‌ ନାମକ ଏକ ବିଲ୍ଡର ସଂସ୍ଥା ଅଧୀନରେ କାମ କରୁଥିଲେ। ଏକ ଆପାର୍ଟମେଣ୍ଟ ପ୍ରକଳ୍ପ କାମରେ ସେମାନେ ନିୟୋଜିତ ଥିଲେ। ଆଜି ସେମାନେ ପ୍ରକଳ୍ପକୁ ଲାଗି ରହିଥିବା ଏକ ପାଚେରି ନିକଟରେ ଖୋଳାଖୋଳି କରୁଥିଲେ। ଏହି ସମୟରେ ହଠାତ୍‌ ପାଚେରି ଭୁଶୁଡ଼ିପଡ଼ିଥିଲା ଏବଂ ଦୁଇଜଣଯାକ ଭଙ୍ଗା ପାଚେରି ତଳେ ଚାପିହୋଇଯାଇଥିଲେ। ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପଥର ତଳୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ। ମାତ୍ର ସେତେବେଳକୁ କମଳାଙ୍କ ମୃତ୍ୟୁ ହୋଇସାରିଥିଲା। ଭରତପୁର ଥାନା ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ସମ୍ପୃକ୍ତ ସଂସ୍ଥା ଶ୍ରମିକଙ୍କ ସୁରକ୍ଷା ପାଇଁ କି କି ପଦକ୍ଷେପ ନେଇଥିଲେ, ସେନେଇ ମଧ୍ୟ ପୁଲିସ ତଦନ୍ତ ଆରମ୍ଭ ହୋଇଛି।