ଭୁବନେଶ୍ବର: ରାଜ୍ୟରେ କୌଣସି ଭିନ୍ନକ୍ଷମ ଟିକାକରଣରୁ ବାଦ୍ ପଡ଼ିବେ ନାହିଁ। ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ୨୫ ତାରିଖ ସୁଦ୍ଧା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇ ସରକାରଙ୍କ ସହିତ ଆଲୋଚନା କରାଯିବ। ଆକ୍ସନ ଏଡ୍ ଓ ଭିନ୍ନକ୍ଷମ କମିସନଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ୱେବିନାରରେ ଏହା କହିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିସନର ସୁଲୋଚନା ଦାସ।
ଶ୍ରୀମତୀ ଦାସ କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୧୨ ଲକ୍ଷ ୪୪ ହଜାର ଭିନ୍ନକ୍ଷମ ଥିବା ଜଣାପଡ଼ିଥିଲା। ପୂର୍ବରୁ ୭ଟି ବର୍ଗର ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଶ୍ରେଣୀଭୁକ୍ତ କରାଯାଉଥିଲା। ବର୍ତ୍ତମାନ ୨୧ଟି ବର୍ଗର ବ୍ୟକ୍ତିଙ୍କୁ ଭିନ୍ନକ୍ଷମ କୁହାଯାଉଛି। ତେଣୁ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା କାହିଁରେ କେତେ ବୃଦ୍ଧି ପାଇଥିବ। ଶାରୀରିକ ସମସ୍ୟା ସହିତ ଆଭ୍ୟନ୍ତରୀଣ ଅଞ୍ଚଳର ଅଧିବାସୀ ହୋଇଥିଲେ ଟିକା ପାଇବା କଷ୍ଟକର ହେଉଛି। ଆବଶ୍ୟକ ସ୍ଥଳରେ ଭିନ୍ନକ୍ଷମଙ୍କ ଘରକୁ ଯାଇ କିମ୍ବା ସେମାନଙ୍କୁ କେନ୍ଦ୍ରକୁ ଅଣାଯାଇ ଟିକା ଦିଆଯିବ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। ଏ ସଂକ୍ରାନ୍ତରେ ଗତ ସପ୍ତାହରେ ବିଭିନ୍ନ ଜିଲ୍ଲାର ଡିଏସ୍ଏସ୍ଓଙ୍କ ସହିତ ଆଲୋଚନା ହୋଇଥିଲା। ଏହି ପର୍ଯ୍ୟାୟରେ ବୁଧବାର ସାମାଜିକ ସଙ୍ଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଛି। ଏଥିରେ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତାମାନେ ଭିନ୍ନକ୍ଷମମାନେ ଟିକା ପାଇବାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ବିଶେଷକରି ଭଦ୍ରକ ଜିଲ୍ଲାରେ ପ୍ରଥମ ମହଲାରେ ଟିକାଦାନ ହେଉଥିବାରୁ ଭିନ୍ନକ୍ଷମ ସମସ୍ୟାର ସମ୍ମୁଖୀନ ହେବା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଏଥିପାଇଁ ସଙ୍ଗଠନ ଗୁଡ଼ିକ ଟିକା କେନ୍ଦ୍ରଗୁଡ଼ିକୁ ବାଧାହୀନ ଯାତାୟାତକୁ ସୁନିଶ୍ଚିତ କରିବା, ପରିଚୟପତ୍ର ବାଧ୍ୟତାମୂଳକ ନ କରିବା, ଆବଶ୍ୟକତା ଆଧାରରେ ଘରକୁ ଟିକା ପହଞ୍ଚାଇବା, ଭିନ୍ନକ୍ଷମମାନଙ୍କୁ ଟିକାକେନ୍ଦ୍ରକୁ ଆଣିବା ପାଇଁ ସହାୟତା ପ୍ରଦାନ, ସଚେତନତା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ଜରିଆରେ ବିମର୍ଶ, ପ୍ରଚାର ଅଭିଯାନ ପାଇଁ ଦାବି କରିଥିଲେ। ପ୍ରାରମ୍ଭରେ ଆକ୍ସନ ଏଡ୍ର ସହକାରୀ ନିର୍ଦେଶକ ଦେବବ୍ରତ ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ଟିକାକରଣରେ ଭିନ୍ନକ୍ଷମମାନଙ୍କ ସହଭାଗିତାକୁ ସୁନିଶ୍ଚିତ କରିବାକୁ ଦାବି କରିଥିଲେ। ଓଡ଼ିଶା ବିକଳାଙ୍ଗ ମଞ୍ଚର ସମ୍ପାଦକ ଅକ୍ଷୟ ସାହୁ ଗଜପତି ଭଳି ଅନ୍ୟ ଜିଲ୍ଲାରେ ପ୍ରଶାସନର ଉଦ୍ୟମରେ ଭିନ୍ନକ୍ଷମଙ୍କୁ ଘରେ ଯାଇ ଟିକା ଦେବାକୁ ଦାବି କରିଥିଲେ। କାର୍ଯ୍ୟକ୍ରମକୁ ଆକ୍ସନ ଏଡ୍ର ଘାସିରାମ ପଣ୍ଡା ପରିଚାଳନା କରିଥିବା ବେଳେ ବିଏନ ଦୁର୍ଗା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/vaccine-adddd.jpg)