ରୋଜଗାରକ୍ଷମ ମହିଳାଙ୍କର ଗଭୀର ଆତ୍ମବିଶ୍ବାସ ଥାଏ

ହେଲ୍ପମେଟ୍ ପକ୍ଷରୁ ଜାତୀୟ ଶିଶୁ କନ୍ୟା ଦିବସ

ଭୁବନେଶ୍ବର: ମୋର ଦୁଇ ଝିଅ, ପୁଅ ନାହିଁ। କିନ୍ତୁ ପୁଅର ଅଭାବବୋଧ କେବେ ଅନୁଭବ କରିନାହିଁ। ଯେଉଁମାନେ ଝିଅମାନଙ୍କୁ ମାରି ଦେଉଛନ୍ତି, ସେମାନଙ୍କୁ ଧିକ୍‌। କିନ୍ତୁ ଅନ୍ୟମାନେ ମଧ୍ୟ କେବଳ ଝିଅ ଜନ୍ମ କଲେ ହେବ ନାହିଁ, ସେମାନଙ୍କୁ ଶିକ୍ଷିତ ଓ ସ୍ବାବଲମ୍ବୀ କରିବାକୁ ହେବ। କାରଣ ମାସକୁ ହଜାରେ, ୧୫ଶହ ହେଉ ପଛେ, ରୋଜଗାର କରୁଥିବା ମହିଳାଙ୍କ ପାଖରେ ଗଭୀର ଆତ୍ମବିଶ୍ବାସ ଥାଏ। ଏଥିପାଇଁ ଆଜି ସରକାର ଏସ୍‌ଏଚ୍‌ଜି ଜରିଆରେ ଧାନଠାରୁ ବଡ଼ି ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି। ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ସାମାଜିକ ସଂଗଠନ ହେଲ୍ପମେଟ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ଅନୁଷ୍ଠାନର ସଭାପତି ଅଞ୍ଜଳି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଯେଉଁ ଦେଶରେ ଲକ୍ଷ୍ମୀ, ସରସ୍ବତୀ ଏବଂ ଦୁର୍ଗାଙ୍କୁ ପୂଜା କରାଯାଏ, ସେଠାରେ ନାରୀକୁ ଅସୁରକ୍ଷିତ କହିବା ସବୁଠୁ ବଡ଼ ବିଡ଼ମ୍ବନା। କିନ୍ତୁ ସତ୍ୟକୁ ସ୍ବୀକାର କରିବାକୁ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ୍‌ଟି ଶୁଣିବାକୁ ଭଲ ଲାଗୁଛି। ତେବେ ଏଥିପ୍ରତି ସମସ୍ତେ କେତେ ସଚେତନ, ତାହା ଗୁରୁତ୍ବପୂର୍ଣ୍ଣ। ଆଜି ବି ପୁଅ ଜନ୍ମ କରୁ ନଥିବା ମହିଳାମାନଙ୍କୁ ଅଲକ୍ଷଣୀ କୁହାଯାଏ। ଅନେକ କ୍ଷେତ୍ରରେ ସାହିତ୍ୟ ମଧ୍ୟ ମହିଳା ବିରୋଧୀ ମାନସିକତା ତିଆରି କରେ। ତା’ ସତ୍ତ୍ବେ ଚଳିତ ପଞ୍ଚାୟତ ନିର୍ବାଚନରେ ୬୨ପ୍ରତିଶତ ମହିଳା ପ୍ରତିନିଧି ନିର୍ବାଚିତ ହୋଇଛନ୍ତି। ସଂସଦରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦିଆଯିବା ନେଇ ଦାବି ହେଉଛି। ତେଣୁ ଏହି ପରିପ୍ରେକ୍ଷୀରେ ମହିଳାମାନେ ମାନସିକ ଭାବେ ପ୍ରସ୍ତୁତ ହେବାକୁ ପଡ଼ିବ।
ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶିକା ସ୍ମିତା ମହାନ୍ତି ଅପପୁଷ୍ଟି ଏବଂ ରକ୍ତହୀନତା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୮ ଲକ୍ଷ ମହିଳାଙ୍କୁ ପୁଷ୍ଟିକର ଫଳ ଚାରା ଏବଂ ପରିବା ବିହନ କିଟ୍ ବଣ୍ଟନ ସମ୍ପର୍କରେ କହିଥିଲେ। ଘରେ ଝିଅମାନେ କିଭଳି ଭେଦଭାବର ଶିକାର ହେଉଛନ୍ତି, ସେ ସଂପର୍କରେ ଆଲୋଚନା କରିଥିଲେ।

ବଂଶ ରକ୍ଷା ନାଁରେ ଝିଅଙ୍କୁ ହତ୍ୟା କରାଯିବାକୁ ସମାଜସେବୀ ଆଶିଷ ମିଶ୍ର ନିନ୍ଦା କରିଥିଲେ। ସମ୍ପାଦିକା ନିବେଦିତା ଭଞ୍ଜ ଘରୋଇ ହିଂସା ଅଧିନିୟମ-୨୦୦୯, ବାଲ୍ୟବିବାହ ନିଷେଧ, ଯୌତୁକ ନିରୋଧ ଆଇନ ନେଇ ସେମିନାର୍‌ ମାଧ୍ୟମରେ ସଚେତନ କରାଯାଉଥିବା ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ସାମାଜିକ କର୍ମୀ ଲିଙ୍କନ୍‌ ସୁବୁଦ୍ଧି ଏବଂ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷକ ଶୁଭଶ୍ରୀ ଜେନାଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଶୀ ନୃତ୍ୟ ସହ ଅଙ୍କିତା ଅପରାଜିତା ଦାସ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଜୟଶ୍ରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ମଧୁଲିତା ରାୟ, ସୁଚେତ ରାଉତ, ନୀହାରିକା ପଟ୍ଟନାୟକ, ଲିନା ମିଶ୍ର, ଦୀପ୍ତି ମିଶ୍ର, ସୁଶୀଲ ପଟ୍ଟନାୟକ, ମାନସ ଥାଟ୍ଟୋଇ, ବୀଣା ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଭର୍ଚୁଆଲ ମିଡିଆରେ ବକ୍ତୃତା, ସ୍ଲୋଗାନ୍‌, ଚିତ୍ରାଙ୍କନ ଏବଂ ଫ୍ୟାନ୍ସି ଡ୍ରେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର