‘ଏ ଓ୍ଵାର୍ଲ୍ଡ ଅଫ୍‌ ଥ୍ରି ଜିରୋଜ୍‌’ ଉନ୍ମୋଚିତ

ଚନ୍ଦ୍ରଶେଖରପୁର: ଦାରିଦ୍ର୍ୟ ଦୂରୀକରଣ ଏକ ଅସମ୍ଭବ ବ୍ୟାପାର ନୁହେଁ। ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମିଳିତ ଭାବରେ ଗଠନମୂଳକ କାର୍ଯ୍ୟପନ୍ଥା ଗ୍ରହଣ କଲେ ଦାରିଦ୍ର୍ୟକୁ ମୂଳୋତ୍ପାଟନ ସମ୍ଭବ ହୋଇପାରିବ ବୋଲି ନୋବେଲ ବିଜେତା ତଥା ବିଶିଷ୍ଟ ଅର୍ଥନିତୀଜ୍ଞ ପ୍ରଫେସର୍‌ ମହମ୍ମଦ ୟୁନୁସ୍‌ ପ୍ରକାଶ କରିଛନ୍ତି। ଆଜି କାଦମ୍ବିନୀ ପକ୍ଷରୁ ଆୟୋଜିତ ପ୍ରଫେସର୍‌ ମହମ୍ମଦଙ୍କ ଦ୍ୱାରା ରଚିତ ‘ଏ ଓ୍ଵାର୍ଲ୍ଡ ଅଫ୍‌ ଥ୍ରି ଜିରୋଜ୍‌’ ପୁସ୍ତକ ଉନ୍ମୋଚନ ଅବସରରେ ଆର୍ଥିକ ସହାୟତା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏହି ସେବା ପାଇବାରୁ ବଞ୍ଚିତ ହୋଇଥିବା ଲୋକଙ୍କ ନିକଟତର ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଦାରିଦ୍ର୍ୟ ମୁକ୍ତ, ବେକାରୀ ମୁକ୍ତ ଓ ଅଙ୍ଗାରକାମ୍ଳ ମୁକ୍ତ ଉପରେ ରଚିତ ଏହି ପୁସ୍ତକରେ ସମାଜର ଆର୍ଥିକ ପ୍ରଗତି ଓ ବିକାଶକୁ ନେଇ ଅନେକ ତଥ୍ୟ ରହିଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ସିନେ ଅଭିନେତା ତଥା କ୍ରୀଡ଼ାବିତ୍‌ ରାହୁଲ ବୋଷ ଯୋଗ ଦେଇ ଥିଲେ। ଆଜିର ବିଶ୍ୱରେ ବିକାଶକୁ ସର୍ବଜନାଦୃତ କରିବାରେ କ୍ରୀଡ଼ାର ଏକ ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ୟୁନୁସ୍‌ ଫାଉଣ୍ଡେସନ୍‌ର ଇଡ଼ି ଲାମିୟା ମୋର୍ସେଦ୍‌ ଓ ନିତି ଫାଉଣ୍ଡେସନର ସୂରଜ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସୂରଜ କୁମାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଭୟ ପ୍ରଫେସର୍‌ ୟୁନୁସ୍‌ ଏବଂ ରାହୁଲ୍‌ ବୋଷ ବିଭିନ୍ନ ବିଷୟରେ ସେମାନଙ୍କର ମତ ରଖିଥିଲେ। ଆଜିର ସମାଜକୁ କୃତ୍ରିମ ଜ୍ଞାନ କିପରି କବଳିତ କରିବାକୁ ଯାଉଛି ଓ ଏହାର ଏକ ନିର୍ଦ୍ଦିଷ୍ଟ ସୀମାରେଖା ଟଣାନଗଲେ ଏହା କିପରି ସମଗ୍ର ମାନବସମାଜର ଅସ୍ତିତ୍ୱ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିବ, ସେ ନେଇ ମତ ବିନିମୟ ହୋଇଥିଲା। ଯେଉଁ ପ୍ରଯୁକ୍ତିବିଦ୍ୟା ମାନବ ସମାଜ ପାଇଁ ହାନିକାରକ ତା’ର ବ୍ୟବହାର ହେବା ଉଚିତ୍‌ ନୁହେଁ ବୋଲି ପ୍ରଫେସର୍‌ ୟୁନୁସ୍‌ ମତ ଦେଇଥିଲେ। ସେହିପରି ଅଲିମ୍ପିକ୍‌ ମାଧ୍ୟମରେ କିପରି ବିଶ୍ୱ ଭାତୃତ୍ୱ ପ୍ରତିଷ୍ଠା ହୋଇପାରିବ ଓ ଦାରିଦ୍ର୍ୟ ଦୂରୀକରଣ ବେଳେ ନିଜର ବୁଦ୍ଧିମତା ଅପେକ୍ଷା ବ୍ୟକ୍ତିର ଆବଶ୍ୟକତାକୁ ପ୍ରାଧାନ୍ୟ ଦେବାକୁ ଶ୍ରୀ ୟୁନୁସ୍‌ କହିଥିଲେ।

ସମ୍ବନ୍ଧିତ ଖବର