ଝାରପଡ଼ାରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣା, ୩ବର୍ଷ ତଳେ ପ୍ରେମ କରି ଘରୁ ଚାଲି ଆସିଥିଲେ

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ାରେ ଯୁବତୀଙ୍କ ଆତ୍ମହତ୍ୟା ଉପରୁ ପରଦା ଉଠାଇଛି ପୁଲିସ। ଆଜି ଶବ ବ୍ୟବଚ୍ଛେଦ ପରେ ମୃତ ଯୁବତୀ ଚାନ୍ଦୁନି ସୂତାରଙ୍କ ମୃତଦେହକୁ ପୁଲିସ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକଙ୍କୁ ପଚରାଉଚରା ପରେ ପୁଲିସକୁ ଅନେକ ତଥ୍ୟ ମିଳିଛି। ପୁଲିସ୍‌ ସୂଚନା ଅନୁସାରେ, ଚାନ୍ଦୁନିଙ୍କ ବାପା ନାହାନ୍ତି। ଘରେ କେବଳ ମା’, ଭାଇ ଓ ବଡ଼ ଭଉଣୀ। ପ୍ରାୟ ୩ବର୍ଷ ତଳେ ଚାନ୍ଦୁନି କୁଜଙ୍ଗ ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରି ଘରୁ ଚାଲି ଆସିଥିଲେ। ସେବେଠାରୁ ସେ ଆଉ ଘରକୁ ଫେରି ନାହାନ୍ତି। ପ୍ରାୟ ଦେଢ଼ ବର୍ଷ ହେଲା ସମ୍ପୃକ୍ତ ଯୁବକ କୁଜଙ୍ଗରେ ରହୁଥିବା ବେଳେ ଚାନ୍ଦୁନି ଭୁବନେଶ୍ବରରେ ରହି ଫ୍ୟାସନ୍‌ ଦୋକାନରେ କାମ କରୁଥିଲେ। ଯୁବକଙ୍କ ସହ ଆଉ ସେମିତି ସମ୍ପର୍କ ନ ଥିଲା। ଚାନ୍ଦୁନି ମଧ୍ୟ ନିଜ ଗାଁକୁ ଯାଉ ନଥିଲେ। ଏହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ପୁଲିସ ଅନୁମାନ କରୁଛି। ସେହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତକାଲି ଚାନ୍ଦୁନି ବେକରେ ଓଢ଼ଣୀ ଗୁଡ଼ାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର