ଅଳିଆ ଗଦାରେ ଶହ ଶହ ଆଧାର କାର୍ଡ

ପୁରୁଣା ଭୁବନେଶ୍ୱର : ଅଳିଆଗଦାରେ ପଡ଼ିଛି ଆଧାର କାର୍ଡ। ସ୍ଥାନୀୟ ସୁନ୍ଦରପଦା କପିଳପ୍ରସାଦ ସମେତ ଶତାଧିକ ଲୋକଙ୍କ ଆଧାର କାର୍ଡ ଅଳିଆଗଦାରୁ ଉଦ୍ଧାର ହୋଇଛି। ତେବେ କିଏ ଏହାକୁ ଫୋପାଡ଼ିଛି, କେମିତି ଏତେ ସଂଖ୍ୟାରେ ଆଧାର କାର୍ଡ ଏଠାକୁ ଆସିଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଡାକ ବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛି। ଘଟଣାର ତଦନ୍ତ କରାଯିବ ବୋଲି ଓଲ୍‌ଡ ଟାଉନ ପୋଷ୍ଟ ମାଷ୍ଟର କହିଛନ୍ତି। ମିଳିଥିବା ସୂଚନା ମୁତାବକ ସୁନ୍ଦରପଦା ଗୋଖିବାବା ମନ୍ଦିର ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପଛ ପଟେ ଥିବା ଅଳିଆ ଗଦାରେ ଶତାଧିକ ଆଧାର କାର୍ଡ ପଡ଼ିଥିଲା। ଏଗୁଡ଼ିକୁ ସ୍ବେଚ୍ଛାସେବୀ ବିଶ୍ବଜିତ ମଙ୍ଗରାଜଙ୍କ ସହ କିଛି ସ୍ଥାନୀୟ ଯୁବକ ଉଦ୍ଧାର କରିଥିଲେ। ପରେ ସେହି କାର୍ଡରେ ଥିବା ମୋବାଇଲ୍‌ ନମ୍ବରରେ ଫୋନ୍‌ କରି ସେଥିରୁ କିଛି ବ୍ୟକ୍ତିଙ୍କୁ କାର୍ଡ ପ୍ରଦାନ କରିଥିଲେ। ଏହାପରେ ବଳକା ରହିଥିବା ଶତାଧିକ କାର୍ଡ ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରଦାନ କରଛନ୍ତି। କପି‌ଳପ୍ରସାଦ, ସୁନ୍ଦରପଦା, କପିଳେଶ୍ବର, ଭୀମଟାଙ୍ଗି, ପୋଖରୀପୁଟ ଏବଂ ଓଲଡ୍‌ ଟାଉନ୍‌ ଅଞ୍ଚଳର ଲୋକଙ୍କ ଏହି କାର୍ଡ ସେଠାରୁ ଉଦ୍ଧାର ହୋଇଥିଲା। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଆଇନଜୀବୀ ଭୀଷ୍ମ ନାରାୟଣ ନାୟକ କୁହନ୍ତି, ଆଧାର କାର୍ଡ ଏକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ। ଡାକ ବିଭାଗ ବଣ୍ଟନ କରିବା ନିୟମ ରହିଥିବା ବେଳେ ଏହା ଅଳିଆ ଗଦାକୁ କିପରି ଆସିଲା ତା’ର ତଦନ୍ତ ହେବା ଦରକାର। ଏନେଇ ଅଙ୍ଗନବାଡ଼ି କେନ୍ଦ୍ରର ପାଚିକା ରମା ମହାପାତ୍ର କୁହନ୍ତି, ଡାକ ବିଭାଗ କର୍ମଚାରୀ ଆସି ଜବରଦସ୍ତ ସହାୟିକାଙ୍କୁ ଆଧାର କାର୍ଡ ବାଣ୍ଟିବାକୁ ଦେଇଥିଲେ। ସେ ଜାଣିନପାରି ରଖିଥିଲେ। ତେବେ ଏହା ବାହାରେ କିପରି ପଡ଼ିଲା ଆମେ ଜାଣିନୁ। ଏନେଇ ଓଲଡ୍ ଟାଉନ୍‌ ପୋଷ୍ଟ ମାଷ୍ଟର ସତୀଶ ପଟେଲ କହିଛନ୍ତି, ଆଧାର କାର୍ଡ ବାଣ୍ଟିବା ପୋଷ୍ଟମ୍ୟାନ୍‌ଙ୍କ ଦାୟିତ୍ବ। ତେବେ ଏହି ଆଧାରକାର୍ଡ ଗୁଡ଼ିକ କେଉଁ ପୋଷ୍ଟ ଅଫିସରୁ ଆସିଛି ତାହା ଜଣାପଡ଼ିଲେ ତଦନ୍ତ କରାଯିବ।

ସମ୍ବନ୍ଧିତ ଖବର