ସ୍ବତନ୍ତ୍ର ଡ୍ରାଇଭ୍‌ରେ ଆଧାର ସଂଯୋଗୀକରଣ ନୈରାଶ୍ୟଜନକ

ଏଥର ବି ହେବ କି କାର୍ଯ୍ୟାନୁଷ୍ଠା‌ନ?

ଭୁବନେଶ୍ବର: ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟକ୍ରମରେ ଚାଲିଥିବା ୧୦ ଦିନିଆ ସ୍ବତନ୍ତ୍ର ଡ୍ରାଇଭ୍‌ ଶେଷ ହୋଇଛି। ସେପ୍ଟେମ୍ବର ୧୫ ରୁ ୨୪ ଯାଏ ହୋଇଥିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨୧ ପ୍ରତିଶତ ସଂଯୋଗୀକରଣ ସମ୍ଭବ ହୋଇଛି। ପୂର୍ବରୁ ଅଗଷ୍ଟ ୧ ତାରିଖରୁ ସେପ୍ଟେମ୍ବର ୧୩ ତାରିଖ ଯାଏ ଅର୍ଥାତ୍‌ ୪୪ ଦିନରେ ୨୮.୯୭ ପ୍ରତିଶତ ହୋଇଥିଲା। ଏବେ ୧୦ ଦିନରେ ୨୧ ପ୍ରତିଶତ ପୂର୍ବ ରେକର୍ଡ ଠାରୁ ଅଧିକ ହୋଇଛି। କିନ୍ତୁ ବ୍ୟାପକ ସଚେତନତା ସହ ପ୍ରଶାସନ ଏହାକୁ ଗୁରୁତ୍ବର ସହ ନେଇଥିଲେ ମଧ୍ୟ ସଂଯୋଗୀକରଣ ଆଶାନୁରୂପ ହୋଇନାହିଁ।

ଅଗଷ୍ଟ ୧ରୁ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୯ରୁ ୨୨ ତାରିଖ ମଧ୍ୟରେ ଦୁଆର ଦୁଆର ବୁଲି ଦିନକୁ ୫୦ ଜଣଙ୍କ ସଂଯୋଗୀକରଣ କରିବାକୁ ଏକ ସ୍ବତନ୍ତ୍ର ଡ୍ରାଇଭ୍‌ ମଧ୍ୟ କରାଯାଇଥିଲା। ହେଲେ ଦାୟିତ୍ବରେ ଥିବା ସୁପରଭାଇଜରମାନେ ବାରମ୍ବାର ତାଗିଦ୍‌ ସତ୍ତ୍ବେ ଆଦୌ ଏହାକୁ ଗୁରୁତ୍ବର ସହ ନେଇନଥିଲେ। ଗତ ୨୩ ତାରିଖରେ ଏହି ସୁପରଭାଇଜରମାନଙ୍କୁ ନୈରାଶ୍ୟଜନକ ପ୍ରଦର୍ଶନର କାରଣ ବାବଦରେ ଉତ୍ତର ମଗାଯାଇଥିଲା। ଉତ୍ତର ସନ୍ତୋଷଜନକ ନ ହେବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏବେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ ହୋଇଛି। ଏବେ ପ୍ରଶାସନ କାହା ଉପରେ କାର୍ଯ୍ୟାନୁଷ୍ଠାନ ନେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?
ସୁପରଭାଇଜରଙ୍କ କହିବା କଥା, ଲୋକମାନେ ସହଯୋଗ କରୁନାହାନ୍ତି। ଅନେକ ଭୋଟର ଘରେ ଥାଇ ମଧ୍ୟ ସଂଯୋଗୀକରଣ ପାଇଁ ରାଜି ହେଉନାହାନ୍ତି। କିଛି ଜାଗାରେ ଭୋଟର ଦିନ ସାରା ଘରେ ରହୁନାହାନ୍ତି। ଏଣୁ ଏଥିରେ ସୁପରଭାଇଜର କିମ୍ବା ବିଏଲ୍‌ଓମାନଙ୍କର କୌଣସି ଦୋଷ ନାହିଁ। କିନ୍ତୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଲୋକ କେମିତି ସହଯୋଗ କରିବେ ସେ ନେଇ ଚିନ୍ତା କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସବୁଠାରୁ ନୈରାଶ୍ୟ ଜନକ ପ୍ରଦର୍ଶନ ହୋଇଛି। ଏଠାରେ ୨ ଲକ୍ଷ ୮ ହଜାର ୩୨୫ ଭୋଟରଙ୍କ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୬୩ ହଜାର ୧୧୪ ଜଣଙ୍କର ସଂଯୋଗୀକରଣ ସମ୍ଭବ ହୋଇ ପାରିଛି। ଅର୍ଥାତ୍‌ ମାତ୍ର ୩୦.୦୧ ପ୍ରତିଶତ ହୋଇଛି। ସେହିଭଳି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ମାତ୍ର ୩୪.୮୩ ପ୍ରତିଶତ ହୋଇଛି। ଏଠାରେ ୨ ଲକ୍ଷ ୬୨ ହଜାର ୪୨୪ ଭୋଟରଙ୍କ ମଧ୍ୟରୁ ୯୨ ହଜାର ୩୫୦ ଜଣଙ୍କର ସଂଯୋଗୀକରଣ ହୋଇଛି। ସେହିଭଳି ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩୬.୫୭ ପ୍ରତିଶତ ହୋଇଛି। ଜୟଦେବ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୮୭.୧୭ ପ୍ରତିଶତ ହୋଇଥିବା ବେଳେ ଜଟଣୀରେ ୬୬.୨ ପ୍ରତିଶତ ହୋଇଛି।

ସମ୍ବନ୍ଧିତ ଖବର