ପ୍ରଧାନଶିକ୍ଷକଙ୍କୁ ଆଧାର ପାହାର

ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜୀକରଣରେ ଓଡ଼ିଶାର ସ୍ଥାନ ୨୪

ଭୁବନେଶ୍ୱର : ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜୀକରଣ ବାଧ୍ୟତାମୂଳକ। ନଭେମ୍ବର ୩୦ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ ଯେପରି ପଞ୍ଜୀକରଣ କରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି। ଯଦି କୌଣସି ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ଆଧାର ପଞ୍ଜୀକରଣ ନ କରନ୍ତି ତେବେ ବ୍ଲକ ଶିକ୍ଷା ଅଧିକାରୀ, ସିଆରସିସି ଏବଂ ପ୍ରଧାନଶିକ୍ଷକ ଏଥିପାଇଁ ଦାୟୀ ରହିବେ।

ଡିସେମ୍ବର ଶେଷ ସୁଦ୍ଧା ଆଧାର ପଞ୍ଜୀକରଣ ଶେଷ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେବା ପରେ ୬ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜୀକରଣକୁ ପ୍ରାଥମିକତା ଦେଇଛି ଗଣଶିକ୍ଷା ବିଭାଗ। ଏଥିପାଇଁ ପ୍ରତି ବ୍ଲକର ଇଣ୍ଟରନେଟ୍‌ ସୁବିଧା ଥିବା ୩ରୁ ୪ଟି ମାଧ୍ୟମିକ ବିଦ୍ୟାଳୟରେ ଆଧାର କେନ୍ଦ୍ର କରାଯିବ। ସର୍ବଶିକ୍ଷା ଅଭିଯାନରେ କାର୍ଯ୍ୟ କରୁଥିବା ସିଆରସିସି ଏଦିଗରେ ପଦକ୍ଷେପ ନେବେ। ବିଦ୍ୟାଳୟର ପ୍ରତ୍ୟେକ ପିଲା ଯେପରି ନଭେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ପଞ୍ଜୀକରଣ କରିବେ ସେଥିପ୍ରତି ଗୁରୁତ୍ୱ ଦେବେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟ ପିଲାଙ୍କୁ ସମସ୍ତ ଡକ୍ୟୁମେଣ୍ଟ ସହ ପଠାଇବେ। ଏହି ପର୍ଯ୍ୟାୟ ପରେ ଯଦି କୌଣସି ପିଲା ରହିଯିବେ ସେମାନଙ୍କ ଲାଗି ନଭେମ୍ବର ୨୦ରୁ ୩୦ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ କରାଯିବ। ନଭେମ୍ବର ସୁଦ୍ଧା ସବୁ ପିଲାଙ୍କର ଆଧାର ପଞ୍ଜୀକରଣ ସରିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ସମସ୍ତ ପିଲାଙ୍କ ଆଧାର ନମ୍ବର ବ୍ଲକରୁ ଆରମ୍ଭ କରି ଓପେପା ଇ-ଗର୍ଭନାନ୍ସ ପୋଟାର୍ଲରେ ନଭେମ୍ବର ୧୦ ସୁଦ୍ଧା ଉପଲବ୍ଧ କରାଇବାକୁ କୁହାଯାଇଛି। ଜିଲ୍ଲାପାଳମାନେ ମଧ୍ୟ ଏଦିଗରେ ପଦକ୍ଷେପ ନେଇ ନିର୍ଧାରିତ ସମୟ ସୁଦ୍ଧା ଲକ୍ଷ୍ୟ ହାସଲ କରିବାକୁ ବିଭାଗୀୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୫ରୁ ୧୮ ବର୍ଷ ବୟସ ମଧ୍ୟରେ ୪ଟି ରାଜ୍ୟ ଆଧାର ପଞ୍ଜୀକରଣରେ ଶତାଧିକ ପ୍ରତିଶତ ସଫଳତା କରିଛନ୍ତି। ଦିଲ୍ଲୀରେ ସର୍ବାଧିକ ୧୦୬.୮% ପଞ୍ଜୀକରଣ ହୋଇଥିବା ବେଳେ ହରିୟାଣାରେ ୧୦୩.୮%, ପଞ୍ଜାବରେ ୧୦୨.୬ ଏବଂ ହିମାଚଳ ପ୍ରଦେଶରେ ୧୦୦% ହୋଇଛି। ଆସାମରେ ସର୍ବନିମ୍ନ ୩.୯% ରହିଛି। ଏହିକ୍ରମରେ ଓଡ଼ିଶା ୨୪ତମ ସ୍ଥାନରେ ରହିଛି। ଗତ ୧୫ ତାରିଖ ସୁଦ୍ଧା ୭୭.୭% ପଞ୍ଜୀକରଣ ସରିଛି। ଏହି ବୟସ ମଧ୍ୟରେ ୧୧,୬୩୭,୦୫୭ ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯,୦୪୧,୬୭୪ ଜଣ ପଞ୍ଜୀକରଣ କରିଛନ୍ତି। ୧୯ ତାରିଖ ସୁଦ୍ଧା ୮୦.୨୩% ପିଲାଙ୍କର ପଞ୍ଜୀକରଣ ହୋଇଛି। ନୂଆପଡ଼ାରେ ସର୍ବାଧିକ ୯୩.୮୬% ହୋଇଥିବା ବେଳେ କଟକ ଜିଲ୍ଲାରେ ସର୍ବନିମ୍ନ ୭୩.୦୭% ରହିଛି। ସେହିପରି ଅନୁଗୁଳରେ ୭୯.୧୧, ବଲାଙ୍ଗିରରେ ୮୪.୪୫, ବାଲେଶ୍ୱରରେ ୭୭.୭୬, ବରଗଡ଼ରେ ୭୬.୧୮, ବୌଦ୍ଧରେ ୮୨.୭୮, ଭଦ୍ରକ ୮୨.୬୫, କଟକ ୭୩.୦୭, ଦେବଗଡ଼ ୮୨.୨୯, ଢେଙ୍କାନାଳ ୮୦.୭୦, ଗଜପତି ୮୫.୬୫, ଗଞ୍ଜାମ ୭୮.୩୬, ଜଗତ୍‌ସିଂହପୁରରେ ୭୩.୮୦, ଯାଜପୁର ୭୮.୪୫, ଝାରସୁଗୁଡ଼ା ୭୭.୭୮, କଳାହାଣ୍ଡି ୮୩.୧୦ ପ୍ରତିଶତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର