ଏମ୍‌ସକୁ କୋଟିଏ ଟଙ୍କାର ସରଞ୍ଜାମ ଦେ‌ବ ଏଏଆଇ

ଭୁବନେଶ୍ବର : ଭୁବନେଶ୍ବରର ଏମ୍‌ସ୍‌କୁ ଅତ୍ୟାଧୁନିକ ମେଡିକାଲ ସରଞ୍ଜାମ ଯୋଗାଇଦେବ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)। ସାମାଜିକ କର୍ପୋରେଟ୍ ଦାୟିତ୍ବବୋଧ (ସିଏସ୍‌ଆର୍‌‌)ରେ ଏଏଆଇ ୧କୋଟି ଟଙ୍କାର ‌ସରଞ୍ଜାମ ଯୋଗାଇ ଦେବ। ଆଜି ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଭୁବନେଶ୍ବର ଏମ୍‌ସ ସହ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି।

ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓଙ୍କ ସୂଚନା ଅନୁଯ‌ାୟୀ, ଏଏଆଇ ପକ୍ଷରୁ ଏମ୍‌ସକୁ ୬ଟି ଆଇସିୟୁ ଭେଣ୍ଟିଲେଟର, ୨ଟି ପୋର୍ଟେବଲ୍ ଭେଣ୍ଟିଲେଟର, ୨ଟି ଡିଫେବ୍ରିଲେଟର୍‌ସ ଯୋଗାଇ ଦିଆଯିବ। ବର୍ଷକ ମଧ୍ୟରେ ଏହି ସରଞ୍ଜାମ ପର୍ଯ୍ୟାୟକ୍ରମେ ଦିଆଯିବ। ଏଥିପାଇଁ ଏଏଆଇ ୧କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ସେ କହିଛନ୍ତି। ଆଜିର ଏମ୍‌ଓୟୁ ସ୍ବାକ୍ଷର ସମୟରେ ଏମ୍‌ସ, ଭୁବନେଶ୍ବରର ନିର୍ଦ୍ଦେଶିକା ଗୀତାଞ୍ଜଳି ବି. ଏବଂ ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟଙ୍କ ସମେତ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ଏଏଆଇ ସିଏସ୍‌ଆର୍‌ରେ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ସଜାଡ଼ିବାକୁ, ନିଆଳି ମଡର୍ଣ୍ଣ କେୟାର ହସ୍ପିଟାଲ, ସେଣ୍ଟ ଜନ୍‌ସ ଆମ୍ବୁଲାନ୍ସ ସେଣ୍ଟର ଏବଂ ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌କୁ ୧୨କୋଟି ଟଙ୍କା ଦେଇଛି। ବର୍ଷକରୁ ଦୁଇ ବର୍ଷ ଭିତରେ ଏହି କାର୍ଯ୍ୟ ଶେଷ ହେବ ବୋଲି ଚୁକ୍ତି ସ୍ବାକ୍ଷର ହୋଇଛି।

ସମ୍ବନ୍ଧିତ ଖବର