ଦରଦାମ୍ ବୃଦ୍ଧି ପ୍ରତ୍ୟାହାର ଦାବିରେ ଆମ୍ ଆଦମୀ ପାର୍ଟିର ବିକ୍ଷୋଭ

ଭୁବନେଶ୍ବର: ଦରଦାମ୍ ବୃଦ୍ଧି ପ୍ରତ୍ୟାହାର ସମେତ ବିଭିନ୍ନ ଦାବିରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳନ କରାଯାଇଛି। ଏହି କ୍ରମରେ ଆଜି ଦଳ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳର ନେତାମାନେ ୭ଦଫା ସମ୍ବଳିତ ଏକ ଦାବିପତ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ।

ଦାବିଗୁଡ଼ିକ ମଧ୍ୟରେ ତୁରନ୍ତ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ କରିବା, ରାଜ୍ୟ ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ସମସ୍ତ ପରିବାରଙ୍କୁ ମାଗଣା ବିଜୁଳି ପ୍ରଦାନ କରିବା ଓ ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦରହ୍ରାସ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଅତିରିକ୍ତ ଖାଦ୍ୟାନ୍ନ ବଣ୍ଟନ ଚାଲୁ କରିବା ଏବଂ ରାଜ୍ୟ ସରକାର ମଧ୍ୟ ଅତିରିକ୍ତ ଖାଦ୍ୟାନ୍ନ ବଣ୍ଟନର ସୁବିଧା ସହ ଆଳୁ, ପିଆଜ ଓ ଅନ୍ୟାନ୍ୟ ପନିପରିବା ଦର ନିୟନ୍ତ୍ରଣ, ସାର ଅଭାବ ଦୂର କରିବାରେ ତୁରନ୍ତ ବିହିତ ପଦକ୍ଷେପ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅବ୍ୟବସ୍ଥା ଦୂର କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା କିମ୍ବା ବ୍ଲକ୍‌ରେ ସ୍ବତନ୍ତ୍ର ସେଲ୍ ଗଠନ କରିବା ଆଦି ଦାବି ରହିଛି। ବିକ୍ଷୋଭରେ ଆମ୍ ଆଦମୀ ପାର୍ଟି ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ ଉପରେ ଉଭୟ ସରକାର ମାମୁଲି ଟିକସ ହ୍ରାସ କରିବା ସତ୍ତ୍ବେ ଏବେ ବି ଲିଟର ୧୦୦ ଟଙ୍କା ଉପରେ ରହିଛି। ସେହିପରି ସାଧାରଣ ଜନତାଙ୍କ ପାଇଁ ବର୍ତ୍ତମାନର ଦରବୃଦ୍ଧି ଏକ ବିରାଟ ସମସ୍ୟା ହୋଇ ଛିଡ଼ା ହୋଇଛି। ପ୍ରତିବାଦ ସଭାରେ ରାଜ୍ୟ ସଂପାଦକ ସୌମ୍ୟରଂଜନ ସ୍ବାଇଁ, ରାଜ୍ୟ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ, ଶୁଭାଶିଷ ସ୍ବାଇଁ, ଅନୁଜ ସାହୁ, ଚନ୍ଦ୍ରଭାନୁ ମନ୍ତ୍ରୀ, ସୋମନାଥ ରାଉତ, ଜୟସୂର୍ଯ୍ୟ କାନୁନଗୋ, ଦେବାଶିଷ ମହାପାତ୍ର, ସୁଶାନ୍ତ ପ୍ରଧାନ, ଧନେଶ୍ବର ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର