ଭୁବନେଶ୍ୱର: ବିଏମ୍ସିରେ ଆରମ୍ଭ ହୋଇଛି ‘ଆମ ଭୂମି’ କାର୍ଯ୍ୟକ୍ରମ। ଏଥିରେ ବିଏମ୍ସି ଅଞ୍ଚଳରେ ଥିବା ସରକାରୀ ଜାଗା ସବୁକୁ ଚିହ୍ନଟ କରାଯିବ। ସେ ସବୁ ଯେଭଳି ଜବରଦଖଲ ହେବ ନାହିଁ ତାହାକୁ କିଭଳି ସୁରକ୍ଷା ଦିଆଯାଇ ପାରିବ, ତାହାର ବ୍ୟବସ୍ଥା ହେବ। ବିଡିଏ ଉପାଧ୍ୟକ୍ଷ ବଲ୍ୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଆମ ଭୂମି ବୈଠକରେ ବିଏମ୍ସିକୁ ଦାୟିତ୍ବ ଦିଆଯାଇଛି। ୱାର୍ଡ ଅଫିସର ଓ କମ୍ୟୁନିଟି ଅର୍ଗାନାଇଜର(ସିଓ)ମାନଙ୍କୁ ବିଏମ୍ସି ଏହି ଦାୟିତ୍ବ ଦେଇଛି। ନିଜ ନିଜ ଅଞ୍ଚଳରେ ଖାଲି ଜାଗା ଚିହ୍ନଟ କରିବେ। ତା’ ସହିତ ବିଏମ୍ସିର ଖାଲି ପଡ଼ିଥିବା ଜାଗାର ସ୍ଥିତି କଣ ଅଛି ତାହା ଯାଞ୍ଚ କରି ରିପୋର୍ଟ ଦେବେ। ମଙ୍ଗଳବାର ଠାରୁ ଏହି ଚିହ୍ନଟୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।
ବିଏମ୍ସିରେ ଥିବା ଜମି ତାଲିକା ଆଧାରରେ ୱାର୍ଡ ଅଫିସର ଓ ସିଓମାନେ ଜିପିଏସ୍ ଲୋକେସନ ସହ ଜାଗା ଚିହ୍ନଟ କରିବେ। ୬୭ ୱାର୍ଡରୁ ସମସ୍ତ ଖାଲି ଜାଗା ବାବଦରେ ତଥ୍ୟ ଆସିବା ପରେ ଜାଗାର ମାଲିକାନା ଓ ଏରିଆ ସମ୍ବନ୍ଧରେ ଲ୍ୟାଣ୍ଡ ଉପବିଭାଗ ଜରିଆରେ ସ୍ପଷ୍ଟ କରାଯିବ। ଏହା ସ୍ପଷ୍ଟ ହୋଇଯିବା ପରେ ଖାଲି ଜାଗାଗୁଡ଼ିକ କିଭଳି ବ୍ୟବହାର କରାଯାଇ ପାରିବ ତାହାର ବିଚାର କରାଯିବ। ତେବେ ସବୁଜିମାକୁ ପ୍ରାଥମିକତା ଦିଆଯିବାକୁ ଯୋଜନା ହୋଇଛି। ମୋଟ ଅଞ୍ଚଳ ଅନୁସାରେ ଅତି କମ୍ରେ ୫ ପ୍ରତିଶତ ସବୁଜିମା ରହିବା ଜରୁରି ଥିବାରୁ ସେହି ସବୁ ଅଞ୍ଚଳରେ ବୃକ୍ଷରୋପଣ କରାଯିବ। ତା’ ସହିତ ଛୋଟ ଛୋଟ ଖେଳ ପଡ଼ିଆ ହେଉ ବା ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ କରାଯିବ। ପୂର୍ବରୁ ହାଉସିଂ ବୋର୍ଡ ଓ ବିଡିଏର ଜାଗା ଚିହ୍ନଟ ହୋଇସାରିଛି। ବିଏମ୍ସି ଜାଗା ସମେତ ସାଧାରଣ ପ୍ରଶାସନ ଓ ରାଜସ୍ବ ବିଭାଗର ଜମି ମଧ୍ୟ ଚିହ୍ନଟ କରାଯିବ।
କୌତୁହଳପ୍ରଦ ହେଉଛି, ବିଏମ୍ସି, ବିଡିଏ, ଜିଏ ଓ ଅନ୍ୟ ଯେ କୌଣସି ବିଭାଗ ପକ୍ଷରୁ ଉଚ୍ଛେଦ ହେଉଛି ସେ ସବୁ ଜାଗାକୁ ସୁରକ୍ଷା ଦିଆଯାଇ ପାରୁନି। କେବଳ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଉଚ୍ଛେଦ ହେଉଥିବା ଜମିରେ ପ୍ରକଳ୍ପ ହେଉଥିବାରୁ ତାହା ଜବରଦଖଲ ହେଉନାହିଁ। କିନ୍ତୁ ଅନ୍ୟଜାଗା ଉଚ୍ଛେଦ ହେବା ପରେ ପୁଣି ଜବରଦଖଲ ହେଉଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଜୟଦେବ ବିହାର-ନନ୍ଦନକାନନ ରାସ୍ତା। ଏହି ରାସ୍ତାର ଜବରଦଖଲ ଉଚ୍ଛେଦ ହୋଇଥିଲା। ଶହ ଶହ ଦୋକାନ ଘର ଭଙ୍ଗା ଯାଇଥିଲା। ହେଲେ ଏହାକୁ ବିଡିଏ ସୁରକ୍ଷା ଦେଇ ପାରିଲା ନାହିଁ କିମ୍ବା କୌଣସି ପ୍ରକଳ୍ପ ମଧ୍ୟ କଲା ନାହିଁ। ଫଳରେ ଏଥିରୁ ଅନେକ ଜାଗା ପୁଣି ଜବରଦଖଲ ହୋଇଛି। ଠିକ୍ ସେହିଭଳି ଶ୍ୟାମପୁର ଅଞ୍ଚଳରେ ବିଡିଏର ୬୦ ଏକରରୁ ଅଧିକ ଜାଗା ରହିଛି। ସେଥିରୁ କିଛି ଜବରଦଖଲ ହୋଇଥିବା ଖବର ପାଇବା ପରେ ବିଡିଏ ଜବରଦଖଲକାରୀଙ୍କୁ କେବଳ ନୋଟିସ୍ ଦେଇ ବସି ଯାଇଛି। ବାକି ଖାଲି ପଡ଼ିଥିବା ଜାଗାରେ ଜିଏ ବିଭାଗର ଆବେଦନ ଆଧାରରେ ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ଜବରଦଖଲ ବଢ଼ିବାରେ ଲାଗିଛି। ବିଡିଏ ପୁଣି ଥରେ ସେହି ଜାଗା ଯାଞ୍ଚ କରିବା ସହ ଆଉ କିଛି ଜବରଦଖଲକାରୀଙ୍କୁ ନୋଟିସ୍ ଦେଇଛି। କିଛି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଜବରଦଖଲ ବଢ଼ିବଢ଼ି ଚାଲିଛି। ଏହା କେବଳ ଦୁଇଟି ଉଦାହରଣ। ଏଭଳି ବିଏମ୍ସି ଓ ଜିଏ ବିଭାଗ ଜମିରେ ଶହ ଶହ ଉଦାହରଣ ରହିଛି। ଏଭଳି ହୋଇଛି କି ବିଏମ୍ସି ଜଣଙ୍କୁ ଉଚ୍ଛେଦ କରି ଆଉ ଜଣେ ନିଜ ଲୋକଙ୍କୁ ସେହି ଜାଗାରେ ଥଇଥାନ କରିଥିବା ପ୍ରମାଣ ରହିଛି। ଏଭଳି ସ୍ଥିତିରେ ଆମ ଭୂମି କାର୍ଯ୍ୟକ୍ରମ କେତେଦୂର ସଫଳ ହେବ ସେ ନେଇ ପ୍ରଶ୍ନ ଉଠିଛି।