ଆଓ କ୍ରିଏଟିଭ୍‌ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ : ପ୍ରଦର୍ଶିତ ହେବ ୫୦ ଭାଷାର ୭ଶହରୁ ଊର୍ଧ୍ବ ଫିଲ୍ମ

ଭୁବନେଶ୍ୱର : ଆଓ ଟିଭି ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଆଓ କ୍ରିଏଟିଭ୍‌ ସର୍ଟ ଫିଲ୍ମ ଫେଷ୍ଟିଭାଲ୍‌’। ଆଓ ଟିଭିର ଅଡିଓ ଭିଜୁଆଲ ଷ୍ଟ୍ରିମିଂ ଆପ୍‌ ତଥା ଓଟିଟି ପ୍ଲାଟ୍‌ଫର୍ମ ଜରିଆରେ ଦେଖିବାକୁ ମିଳିବ ୫୦ରୁ ଊର୍ଧ୍ବ ଭାଷାର ଚଳଚ୍ଚିତ୍ର। ବର୍ତମାନ ସୁଦ୍ଧା ୪୦ଟି ଦେଶର ୭ଶହରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଆସିଥିବା ବେଳେ ଆଗକୁ ଆହୁରି ଚଳଚ୍ଚିତ୍ର ଯୋଡ଼ି ହେବ। ଆସନ୍ତା ୧୦ ତାରିଖରୁ ସ୍କ୍ରିନିଂ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଗତ ସେପ୍ଟେମ୍ବର ୧୪ ତାରିଖରେ ଅନ୍‌ଲାଇନ୍‌ ଯୋଗେ କ୍ଷୁଦ୍ର ଚଳଚ୍ଚିତ୍ର ଆହ୍ବାନ କରାଯାଇଥିଲା। ଏଥିରେ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ବ୍ରାଜିଲ୍‌, ସ୍ପେନ୍‌, ଫ୍ରାନ୍ସ, ଉଜବେକିସ୍ତାନ, ୟୁକ୍ରେନ, ତୁର୍କୀ, ଉରୁଗୁଏ, ସର୍ବିଆ, ତାଇୱାନ ଆଦି ଦେଶରୁ ଚଳଚ୍ଚିତ୍ର ପହଞ୍ଚିଛି।

ଉତ୍ସବର ଟ୍ୟାଗ୍‌ଲାଇନ୍‌ ରହିଛି ‘ତୁମ ଷ୍ଟୋରି କ’ଣ? ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ୧ଲକ୍ଷ ରହିଥିବା ବେଳେ ଦ୍ବିତୀୟ ଓ ତୃତୀୟ ବିଜେତାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ପୁରସ୍କୃତ କରାଯିବ। ଏହା ବ୍ୟତୀତ ‘ଲୋକଙ୍କ ପସନ୍ଦ’ ବର୍ଗରେ ମଧ୍ୟ ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯିବ। ବିଚାରକ ଦାୟିତ୍ବ ତୁଲାଇବେ ଆର୍‌.ଭି ରମଣି, ରାଜେଶ ଏସ୍‌., ଯୁଗଳ ଦେବତା, ସୁଶାନ୍ତ ମିଶ୍ର ଓ ସ୍ମୃତି ଚୌଧୁରୀ। ଚଳଚ୍ଚିତ୍ର ଉତ୍ସବରେ ଭାଗ ନେବା ପାଇଁ ଅଫଲାଇନ୍‌ରେ ଆବେଦନ ଚାଲୁ ରହିଥିବା ସୂଚନା ଦିଆଯାଇଛି। ଆଜି ଆଓ ଟିଭିର କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍ସବର ଅଧ୍ୟକ୍ଷ କୌଶିକ ଦାସ, ଆଓ ଟିଭି ସିସିଓ ରଂଜିତ ମହାନ୍ତି, ଉପାଧ୍ୟକ୍ଷ ସିଦ୍ଧାର୍ଥ ମହାପାତ୍ର, ଅନୁପମା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର