ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀନରେ ଭୁବନେଶ୍ୱରର ୨୫ଟି କୀର୍ତ୍ତିରାଜି ରହିଛି। ହଜାର ହଜାର ବର୍ଷ ପୂର୍ବରୁ ଏଗୁଡ଼ିକ ନିର୍ମାଣ ହୋଇଥିଲେ ମଧ୍ୟ ସଂରକ୍ଷଣ କିମ୍ବା ରକ୍ଷଣାବେକ୍ଷଣ କରାଯାଉନାହିଁ। ଯେଉଁଥିପାଇଁ ଉଜୁଡ଼ିବାକୁ ବସିଲାଣି ଐତିହ୍ୟ ସହରର ଐତିହ୍ୟ। ୨୫ଟି କୀର୍ତ୍ତିରାଜି ମଧ୍ୟରୁ ପ୍ରାୟ ୧୦ଟି ଐତିହ୍ୟ ସ୍ଥିତି ଭଲ ଥିବା ବେଳେ ଅନ୍ୟଗୁଡ଼ିକ ଏକପ୍ରକାର ଭୁଶୁଡ଼ି ଗଲାଣି। ଐତିହ୍ୟ ପରିସରରେ ଜମୁଛି ଅସାମାଜିକଙ୍କ ଆଡ଼ା। ଏପରିକି ଏଏସ୍ଆଇ ଅଧୀନରେ ଥିବା ଐତିହ୍ୟ ପରିସରରେ ବିବାହ ଭୋଜିର ଆୟୋଜନ କରାଯାଉଛି। ପୁରୁଣା ଭୁବନେଶ୍ୱରରେ ଥିବା ବକ୍ରେଶ୍ୱର ମନ୍ଦିର ପରିସରରେ ଚାଲିଛି ଏଭଳି ବିବାହର ଆସର। ପ୍ରଥମଥର ପାଇଁ ଯେ ଏଭଳି ବିବାହ ଭୋଜି ହେଉଛି, ତାହା ମଧ୍ୟ ନୁହେଁ। ଗତ କିଛି ବର୍ଷ ହେଲା ଏଠାରେ ଏମିତି ବିହାର ଭୋଜିର ଆସର ଚାଲିଛି। ଐତିହ୍ୟ ପରିସର ବି ନଷ୍ଟ ହେଉଛି। ତଥାପି କୌଣସି ଫରକ ପଡ଼ୁନି। ଆଜକୁ ଠିକ୍ ୭ ଦିନ ତଳେ ଏହି ଐତିହ୍ୟସ୍ଥଳରେ ଟେଣ୍ଟ୍ ବନ୍ଧା ଯାଇଥିବା ଦୃଶ୍ୟ ‘ସମ୍ବାଦ’ କ୍ୟାମେରାରେ କଏଦ୍ ହୋଇଥିବା ବେଳେ ଏବେ ବାହାଘର ଭୋଜି ହେଉଥିବା ଚିତ୍ର ହସ୍ତଗତ ହୋଇଛି। ଦୀର୍ଘ ଦିନ ଧରି ଏଭଳି ଚାଲିଥିଲେ ମଧ୍ୟ ଏଏସ୍ଆଇ ଅଧିକାରୀମାନେ ସବୁ ଜାଣି ଚୁପ୍ ବସି ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ବକ୍ରେଶ୍ୱର ମନ୍ଦିର ପରିସରରେ ବାହାଘର ଭୋଜିର ଆୟୋଜନ ହୋଇଥିବା ବେଳେ ଯମେଶ୍ୱର ମନ୍ଦିରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାଦ୍ୱାରା କୀର୍ତ୍ତିରାଜିର ସ୍ଥିତି ଦୁର୍ବଳ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଭୋଜି ପରେ ଏହା କୁଢ଼କୁଢ଼ ଅଳିଆ ଆବର୍ଜନା ମଧ୍ୟ ଜମା ହୋଇ ରହିଥିଲା। କେହି ବି ଏହାର ପ୍ରତିବାଦ କରୁ ନାହାନ୍ତି। ସ୍ଥାନୀୟ ପ୍ରଶାସନର ବି ଏଥିପ୍ର୍ରତି ନିଘା ହିଁ ନାହିଁ। ସତେଯେପରି ଐତିହ୍ୟ ଉଜୁଡ଼ିଲେ କି ଭୁଶୁଡ଼ିଲେ କାହାର କିଛି କ୍ଷତି ହେଉନାହିଁ। ଏହି ଐତିହ୍ୟ ନିକଟରେ ଏଏସ୍ଆଇ ପକ୍ଷରୁ ଦୁଇଟି ଲମ୍ବା, ଚଉଡ଼ା ବୋର୍ଡ ମରାଯାଇଛି। ଏଥିରେ ଲେଖାଯାଇଛି ‘ପ୍ରାଚୀନ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ ଅଧିନିୟମ-୨୦୧୦’ ଅନୁଯାୟୀ ଯେକୌଣସି ବ୍ୟକ୍ତି ଏହି ସ୍ମାରକର ଧ୍ୱଂସ, ସାଧନ ସ୍ଥାନାନ୍ତର, କ୍ଷତି, ପରିବର୍ତନ, ବିକୃତ, ବିପନ୍ନ ବା ଅପବ୍ୟବହାର କରନ୍ତି ତେବେ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ’। ହେଲେ ଐତିହ୍ୟସ୍ଥଳରେ ବେଆଇନ କାର୍ଯ୍ୟ କରୁଥିବା ଜଣେ ବି ହେଲେ ଲୋକଙ୍କଠାରୁ ଏ ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇ ନ ଥିବା ଏଏସ୍ଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପାପନାଶିନୀ ମନ୍ଦିର ନିକଟରେ ଥିବା ଏଏସ୍ଆଇର ସଂରକ୍ଷିତ ଏକ ଐତିହ୍ୟ ଏବେ ନଷ୍ଟ ହେଉଛି। ଅସାମାଜିକ ଲୋକେ ସେଠାରେ ଆଡ଼ା ଜମାଉଛନ୍ତି। ସନ୍ଧ୍ୟା ହେଲେ ନିଶାର ଆସର ଜମୁଛି। ଐତିହ୍ୟ ଚାରିପାଖରେ ଥିବା ଲୁହା ବାଡ଼କୁ ଦୁର୍ବୃତ୍ତମାନେ ତାଡ଼ି ନେଇଗଲେଣି। ଆଉ ଯାହା ଯେମିତି ରହିଛି, ତାହାକୁ ବି ଭାଙ୍ଗି ଦେଲେଣି। ଏହା ପରିସରରେ ଥିବା ଏକ କୂଅକୁ ବି ପୋତିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହା ନିକଟରେ ଆବର୍ଜନା ଜମା କରାଯାଉଛି। ଧୀରେ ଧୀରେ ଏହି କୀର୍ତ୍ତିରାଜି ଉଜୁଡ଼ିଯିବା ଆଶଙ୍କା ପ୍ରକାଶ ପାଇଛି। ଏତେ ସବୁ ପରେ ବି ଏଏସ୍ଆଇର ଭୁବନେଶ୍ୱର କାର୍ଯ୍ୟାଳୟ ଚୁପ୍ ବସିଛି। ଏଏସ୍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ସେଠାରେ କିଛି କରିପାରିବୁ ନାହିଁ। ଯେତେ ତାଗିଦ୍ କଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଲୋକେ ନାଲି ଆଖି ଦେଖାଉଛନ୍ତି। ଏଥିସହ ଆମର ଆବଶ୍ୟକୀୟ ଲୋକ ନାହାନ୍ତି। ତେଣୁ ଚଢ଼ଉ କରାଯାଇପାରୁ ନାହିଁ।
ଐତିହ୍ୟକୁ ଉଜାଡ଼ୁଛି ଏଏସ୍ଆଇ
ବକ୍ରେଶ୍ୱର ମନ୍ଦିରରେ ଚାଲିଛି ବାହାଘର ଭୋଜି, ସାଇନ୍ବୋର୍ଡରେ ସୀମିତ ଜରିମାନା କଟକଣା
/sambad/media/post_attachments/wp-content/uploads/2018/07/keshab.jpg)