ଭୁବନେଶ୍ୱର: ଗ୍ରାହକଙ୍କ ପାଖରେ ପହଞ୍ଚିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ। ଆଉ ହୋଟେଲ ଯିବାକୁ ପଡ଼ିବନି କି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ହେବନି। ଗାଡ଼ିରେ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଏଭଳି ଏକ ଅଭିନବ ପ୍ରୟାସ କରିଥିଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ଫିସ୍‌ଫେଡ୍‌ ମାଧ୍ୟମରେ ମୁକ୍ତ ଟେଣ୍ଡର୍‌ ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ୨୦୧୭ ଅକ୍ଟୋବର ୨୬ରେ ୧୦ଟି ‘ଫିସ୍‌ ଅନ୍‌ ହ୍ୱିଲ୍‌’ ଗାଡ଼ିର ଉଦ୍‌ଘାଟନ ହୋଇଥିଲା। ଏହି ଗାଡ଼ି ମାଧ୍ୟମରେ ସ୍ୱଚ୍ଛ ପରିବେଶ ମାଧ୍ୟମରେ ଗ୍ରାହକମାନେ ନିଜ ପସନ୍ଦ ଅନୁଯାୟୀ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ ପାଇବେ ବୋଲି ଯୋଜନା ହୋଇଥିଲା।  ଏଥିପାଇଁ ପ୍ରାୟ ୧.୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ମାଛ ଓ ଚିଙ୍ଗୁଡ଼ିର ୯ ପ୍ରକାରର ଖାଦ୍ୟ ନେଇ ସହରର ବିଭିନ୍ନ ସ୍ଥାନ ସମେତ ପର୍ଯ୍ୟଟନସ୍ଥଳୀରେ ବି ଏହି ଗାଡ଼ି ବୁଲିବ ବୋଲି କୁହାଯାଇଥିଲା। ହେଲେ ବର୍ତ୍ତମାନ ଏହି ଗାଡ଼ିଗୁଡ଼ିକ ମତ୍ସ୍ୟ ସଦନ ପଛପଟେ ପରିତ୍ୟକ୍ତ ଭାବରେ ପଡ଼ିରହିଛି। 

Advertisment

ଏବେ ଏହି ଆମିଷ ଯାନ କୁକୁର, ବିଲେଇଙ୍କଠାରୁ ଆରମ୍ଭ କରି ସରୀସୃପଙ୍କ ବାସସ୍ଥାନ ପାଲଟିଛି। କିଛି ଅଂଶରେ ଗଛଲତା ମାଡ଼ିଗଲାଣି। ଫିସ୍‌ଫେଡ୍‌ ପକ୍ଷରୁ ୧୬ଟି ଭ୍ରାମ୍ୟମାଣ ଯାନ ଆସିଥିବା ବେଳେ ସେଥିରୁ ୮ଟି ଅଚଳ ପଡ଼ିଛି। ଏହି ଗାଡ଼ିଗୁଡ଼ିକୁ ପିପିପି ମୋଡ୍‌ରେ ପରିଚାଳନା କରାଯାଉଥିଲା।