ପରିତ୍ୟକ୍ତ ଅବସ୍ଥାରେ ଆବର୍ଜନା ପୃଥକୀକରଣ କୁଣ୍ଡ: ବାଟ ହୁଡ଼ିଛି ସ୍ୱଚ୍ଛ ଭାରତ ମିସନ

ପଞ୍ଚାୟତରେ ଖତଖାଉଛି ଅଳିଆବୁହା ଗାଡ଼ି

ବାଲିପାଟଣା: ସ୍ବଚ୍ଛ ଭାରତ ମିସନ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି। ପରିବେଶକୁ ସଫାସୁତୁରା ରଖିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଉଛି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ତୃଣମୂଳସ୍ତରରେ ଏହାର ତଦାରଖ ଠିକ୍‌ ଭାବରେ ହୋଇପାରୁ ନାହିଁ। ତେଣୁ ଗ୍ରାମାଞ୍ଚଳରେ ଏହି ଯୋଜନା ଏକପ୍ରକାର ବାଟ ହୁଡ଼ିଛି ବୋଲି ଚର୍ଚ୍ଚା ହେଉଛି। ସ୍ୱଚ୍ଛ ଭାରତ ପାଇଁ ସରକାରୀ ଓ ବେସରକାରୀସ୍ତରରେ ଜୋରସୋରରେ ପ୍ରଚାର ପ୍ରସାର ହେଉଛି। ପ୍ରକୃତ କଥା ହେଲା ଏହା ଗାଁ ଗହଳିକୁ ସ୍ପର୍ଶ କରିପାରୁ ନାହିଁ। କେବଳ କାଗଜ କଲମରେ ଏବଂ ପ୍ରଚାର ପ୍ରସାରରେ ଏହା ସୀମିତ ରହୁଛି। କେବଳ ସହର ନୁହେଁ ଗାଁ ଗଣ୍ଡାରେ ମଧ୍ୟ ଲୋକମାନେ ଏଣେତେଣେ ଅଳିଆ ଫିଙ୍ଗୁଛନ୍ତି। ଫଳରେ ଗାଁର ସର୍ବସାଧାରଣ ସ୍ଥାନ, କେନାଲ, ପୋଖରୀ, ବିଲବାଡ଼ିରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହୋଇ ରହୁଛି। ଏହାଦ୍ବାରା ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଦୁର୍ଗନ୍ଧ ହେବା ସହ ମଶା, ମାଛି, ପୋକଜୋକଙ୍କ ପ୍ରାଦୁର୍ଭାବ ବଢ଼ୁଛି। ବାଲିପାଟଣା ବ୍ଲକରେ ସ୍ୱଚ୍ଛ ଭାରତ ମିସନ ଯୋଜନାରେ ସରକାରଙ୍କ ତରଫରୁ ପଞ୍ଚାୟତସ୍ତରରେ ଆବର୍ଜନା କୁଣ୍ଡ ନିର୍ମାଣ କରାଯାଇଛି। ୨ଲକ୍ଷ ଟଙ୍କା ବ୍ୟୟରେ ଏହି ଆବର୍ଜନା କୁଣ୍ଡ ନିର୍ମାଣ ହୋଇଛି। ହେଲେ ଏହା କାମରେ ଆସୁନି।
ସୂଚନା ଅନୁସାରେ ବାଲିପାଟଣା ବ୍ଲକର ୧୭ଟି ପଞ୍ଚାୟତ ମଧ୍ୟରୁ ଅଠାନ୍ତର, ଗୁଆପୁର, ମାର୍ଥାପୁର, ମୁକୁନ୍ଦଦାସପୁର ଏବଂ ସୋମଣା ଶାସନ ପଞ୍ଚାୟତରେ ଆବର୍ଜନା ପୃଥକୀକରଣ କେନ୍ଦ୍ର ନିର୍ମାଣ ହୋଇନାହିଁ। ଯେଉଁଠି ପୃଥକୀକରଣ କେନ୍ଦ୍ର ରହିଛି ସେଠାରେ ୫ଟି କୁଣ୍ଡ କରାଯାଇଛି। ୨ଟି ଆବର୍ଜନା ପୃଥକୀକରଣ କୁଣ୍ଡ, ଗୋଟିଏ ପ୍ଲାଷ୍ଟିକ, କାଚ ଓ ଲୁହା ପାଇଁ ଗୋଟିଏ ଏବଂ ଗୋଟିଏ ପଲିଥିନ ପାଇଁ ଉଦ୍ଦିଷ୍ଟ ରହିଛି। ନିର୍ମାଣକୁ ପ୍ରାୟ ୨ବର୍ଷ ବିତି ଯାଇଥିଲେ ହେଁ ଏହା ଅଚଳ ହୋଇପଡ଼ିଛି। ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ବଡ଼ ପୋଖରୀ ନିକଟରେ ନିର୍ମାଣ ହୋଇଥିବା ଆବର୍ଜନା କେନ୍ଦ୍ର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ବ୍ୟବହାର ନହେବାରୁ ଏହା ଶୌଚାଳୟ ପାଲଟିଛି। କାନ୍ଥ ଫାଟି ଆଁ କଲାଣି। ଲୁହାରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଅନାବନା ଗଛ, ଲତା, ଘାସ ପ୍ରକଳ୍ପକୁ ମାଡ଼ି ସମ୍ପୂର୍ଣ୍ଣ ଅଚ୍ଛାଦିତ କରିଛି। ସରୀସୃପ ଅବାଧରେ ବସବାସ କରୁଛନ୍ତି। ଅଳ୍ପ କେତୋଟି କୁଣ୍ଡ ବ୍ୟବହାର ହେଉଥିବା ସ୍ଥଳେ ଅନେକ ସ୍ଥାନରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ପଞ୍ଚାୟତର ସବୁ ଗାଁରୁ ଆବର୍ଜନା ସଂଗ୍ରହ କରି ଆବର୍ଜନା କୁଣ୍ଡରେ ପକାଇବା ପାଇଁ ପଞ୍ଚାୟତକୁ ୨/୩ ଟି ଅଳିଆ ବୁହା ଟ୍ରଲି ଯୋଗାଇ ଦିଆଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉକ୍ତ କାମ ପରିଚାଳନା ପାଇଁ ସରକାରୀ ନିୟମ ରହିଛି। ସେଥିପାଇଁ ପଞ୍ଚାୟତ ପାଣ୍ଠିରେ ଟଙ୍କା ଗଚ୍ଛିତ ରହୁଛି। କିନ୍ତୁ ଏହା କାର୍ଯ୍ୟରେ ଲାଗି ପାରୁନି। ଟ୍ରଲିଗୁଡ଼ିକ ଅଚଳ ଅବସ୍ଥାରେ ପଞ୍ଚାୟତ କାର୍ଯ୍ୟାଳୟରେ ପଡ଼ି ରହିଛି। ସେହିପରି ମନରେଗା ଯୋଜନାରେ ଘର ସାମ୍ନାରେ କମ୍ପୋଷ୍ଟ ପିଟ୍‌ ଏବଂ ସୋକ୍‌ପିଟ ଟାଙ୍କି ପାଇଁ ବ୍ୟୟ ବରାଦ ହୋଇଥିଲା। ଏହି ଯୋଜନାରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଘର ଆଗରେ କୁଣ୍ଡ ନିର୍ମାଣ କରାଯାଇଛି।
ଏ ବାବଦକୁ କୁଣ୍ଡପିଛା ୩ ହଜାର ଟଙ୍କା ଅଟକଳ ରହିଛି। ହେଲେ ମନରେଗା ଯୋଜନାରୁ ୧୭ ଶହ ଟଙ୍କା ମିଳିବାରୁ କାମ କରିଥିବା ଠିକାଦାର ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅନ୍ୟପକ୍ଷରେ କାମରେ ନ ଆସିବାରୁ ଲୋକେ ଇଟା ଭାଙ୍ଗି ନେବା ସହ ଗାତ ପୋତି ଦେଲେଣି। ବିଭିନ୍ନ ସ୍ଥାନରେ ସରକାରଙ୍କ ତରଫରୁ କାନ୍ଥବାଡ଼ରେ ‘ଜୈବିକ ଖତ ପାଇଁ ଗାତ ଖୋଳନ୍ତୁ’, ‘ବର୍ଜ୍ୟ ବସ୍ତୁର ସୁରକ୍ଷିତ ପରିଚାଳନା କରନ୍ତୁ’ ଭଳି ବିଭିନ୍ନ ସ୍ଲୋଗାନ ଲେଖାଯାଇଛି। ମାତ୍ର ଏହା କାମରେ ଆସୁନାହିଁ। ବର୍ଷର ନିର୍ଦ୍ଦିଷ୍ଟ କିଛି ଦିବସରେ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ନେତା, ସରକାରୀ ବାବୁ, ସ୍ବେଚ୍ଛାସେବୀ ହାତରେ ଝାଡ଼ୁଧରି କିଛି ସମୟ ସଫେଇ କରି ଫଟୋ ଓ ଭିଡିଓ ଉତ୍ତୋଳନ ପରେ କାମ ସରି ଯାଉଛି। ସ୍ୱଚ୍ଛତା ପ୍ରତି ସରକାରୀ ଅଧିକାରୀଙ୍କ ଆନ୍ତରିକତା ଅଭାବ ରହୁଥିବାରୁ ଏବଂ ଜନ ସଚେତନତା ଅଭାବରୁ ଏହି ଅଭିଯାନ ଫଳପ୍ରଦ ହୋଇପାରୁ ନାହିଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏନେଇ ପମ୍ପାଲୋ ଗ୍ରାମ ପଞ୍ଚାୟତର ସରପଞ୍ଚ ବାହାନ ଭୋଇଙ୍କ କହିବା କଥା ସରକାରୀ ତଦାରଖ ଅଭାବରୁ ତୃଣମୂଳସ୍ତରରେ ଯୋଜନା ଫେଲ୍‌ ମାରୁଛି।
ସମ୍ବନ୍ଧିତ ଖବର