ଅବନୀ ବରାଳଙ୍କ ୮୫ତମ ଜୟନ୍ତୀ ସମାରୋହ

ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ, ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ପ୍ରତିଷ୍ଠାତା ସ୍ବର୍ଗତଃ ଅବନୀ କୁମାର ବରାଳଙ୍କ ୮୫ତମ ଜୟନ୍ତୀ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅବନୀ ବରାଳ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଏହି ଉପଲକ୍ଷେ ‘ଅବନୀ ବରାଳଙ୍କ ସାମଗ୍ରୀକ ସାହିତ୍ୟ ସୃଜନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ପ୍ରକାଶ ଜେନା, ମାଧ୍ୟମକ ଶିକ୍ଷକ ସଂଘର ସାଧାରଣ ସଂପାଦକ ପ୍ରକାଶ ମହାନ୍ତି ଓ ମାଧବ ଚନ୍ଦ୍ର ବିଶ୍ବାଳ ପ୍ରମୁଖ ଯୋଗ ଦେଇ ସ୍ବର୍ଗତଃ ବରାଳଙ୍କ ରଚନାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ। ସବୁ କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଥିବା ସ୍ବର୍ଗତଃ ବରାଳ ଜୀବନ ଆରମ୍ଭରୁ ପରୋପକାରୀ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବିଭିନ୍ନ ବ୍ୟକ୍ତି‌ବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା। ସମାଜସେବା ପାଇଁ ପଦ୍ମଚରଣ ନାୟକ, ମଞ୍ଚ ଓ ଚଳଚ୍ଚିତ୍ର ପାଇଁ ଅଜିତ୍ ଦାସ, ସାହିତ୍ୟ ଓ ଆଲୋଚନା ପାଇଁ ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି, ସାମ୍ବାଦିକତା ପାଇଁ ଶୈଲେନ୍ ରାଉତରାୟ, ଗଣସଂଗ୍ରାମ ପାଇଁ ବଳରାମ ପ୍ରସାଦ ବସୁମଲ୍ଲିକ ଓ ଶିକ୍ଷା ଓ ସଂଗ୍ରାମ ପାଇଁ ପଞ୍ଚାନନ ଗୌଡ଼ ଓ ଭାଗୀରଥି ନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ଅନୀଲ ମହାନ୍ତି ଧନ୍ୟବାଦ ଦେଇଥିଲେ। ଟ୍ରଷ୍ଟି ଅକ୍ଷୟ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମହେନ୍ଦ୍ର ଜେନା ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର