ଭୁବନେଶ୍ୱର : ବର୍ତମାନ ଆମ ସମାଜରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶିକ୍ଷା ଗ୍ରହଣ ବ୍ୟବସ୍ଥା ସମାଜରେ ନୂତନ ଜାତିଭେଦ ସୃଷ୍ଟି କଲାଣି। ଥିଲାବାଲାଙ୍କ ପିଲା ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ବେଳେ ଗରିବ ଘରର ପିଲା ସରକାରୀ ସ୍କୁଲରେ ଅଧ୍ୟୟନ କରୁଛନ୍ତି। ସରକାରୀ ସ୍କୁଲରେ ନାନା ସମସ୍ୟା ଲାଗି ରହିଥିବାରୁ, ଏଠାରେ ଉଚିତ ଶିକ୍ଷାଦାନ ହେଉନାହିଁ। ପ୍ରଭାବଶାଳୀ ବର୍ଗଙ୍କ ପିଲା ଏଠାରେ ପଢ଼ୁ ନଥିବାରୁ ଏପରି ସ୍କୁଲର ଉନ୍ନତି ନେଇ କେହି ଚିନ୍ତିତ ନୁହନ୍ତି। ଏଥିନେଇ ପ୍ରାଥମିକ ଶିକ୍ଷାକୁ ଜାତୀୟକରଣ କରାଯିବାର ଆବଶ୍ୟକତା ରହିଛି। ଏପରି ନିୟମ କରାଗଲେ ସମାଜର ସବୁବର୍ଗର ବ୍ୟକ୍ତି ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ପଢ଼ାଇବାକୁ ବାଧ୍ୟ ହେବେ। ଏବଂ ଆମ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆସିବ। ବିଶିଷ୍ଟ ଶିକ୍ଷକନେତା ଅବନୀ ବରାଳଙ୍କ ଶ୍ରାଦ୍ଧବାର୍ଷିକୀରେ ଅବନୀ ବରାଳ ଫାଉଣ୍ଡେସନ୍ ପକ୍ଷରୁ ରେଡକ୍ରସ ଭବନରେ ‘ପ୍ରାଥମିକ ଶିକ୍ଷାର ସ୍ଥିିତି ଓ ଗତି’ ଶୀର୍ଷକ ଆଲୋଚନାରେ ଏପରି ମତ ପ୍ରକାଶ ପାଇଛି।
ଏହି ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗ ଦେଇ କହିଲେ, ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ସମାଜ ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ଶିକ୍ଷିତ ବ୍ୟକ୍ତି, ଉଚ୍ଚ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି କେବଳ ନିଜ ପିଲାଙ୍କ ଶିକ୍ଷା କଥା ଚିନ୍ତା ନକରି ସାଧାରଣ ପିଲାଟିଏ କିପରି ତାଙ୍କ ପିଲା ଭଳି ଶିକ୍ଷା ପାଇପାରିବ ସେନେଇ ଧ୍ୟାନ ଦେବା ଦରକାର ବୋଲି ସେ କହିଥିଲେ।
ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ, ଜଣେ ବ୍ୟକ୍ତି ଜୀବନରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅମର୍ତ୍ୟ ସେନ୍ କହିଥିଲେ, ଉପଯୁକ୍ତ ପ୍ରାଥମିକ ଶିକ୍ଷା ବିନା ଏକ ଉନ୍ନତ ରାଷ୍ଟ୍ର ଗଠନ କରା ଯାଇପାରିବ ନାହିଁ। ଏଥିପ୍ରତି ସମସ୍ତଙ୍କୁ ଧ୍ୟାନ ଦେବା ଦରକାର। ବର୍ତମାନର ଶିକ୍ଷା ବ୍ୟବସ୍ଥା ସମାଜରେ ଏକ ନୂତନ ବିଭେଦ ସୃଷ୍ଟି କରୁଛି। ଏହି ସମସ୍ୟାର ସମାଧାନ କେବଳ ରାଜ୍ୟ ସରକାର ଚାହିଁଲେ କରିପାରିବେ ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିନେଇ ଏକ ଜାତୀୟ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିବା ଦରାକର। ଅନ୍ତତଃପକ୍ଷେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କ ପିଲା ସରକାରୀ ବ୍ୟବସ୍ଥାରେ ପାଠ ପଢ଼ିବେ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ଶିକ୍ଷକ ମହାସଂଘ ସମ୍ପାଦକ ଦୁର୍ଯ୍ୟୋଧନ ପରିଡ଼ା, ନାଇଜର୍ର ରେଜିଷ୍ଟ୍ରାର ଅଭୟ ନାୟକ, ପିକକ୍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଓଷ୍ଟାର ପୂର୍ବତନ ସମ୍ପାଦକ ବିବେକାନନ୍ଦ ଦାଶ, ଦାଶରଥୀ ନାୟକ ପ୍ରମୁଖ ଅବନୀ ବରାଳଙ୍କ ସ୍ମୃତିଚାରଣ ସହ ଶିକ୍ଷା ବ୍ୟବସ୍ଥା ସର୍ମ୍ପକରେ ବକ୍ତବ୍ୟ ରଖିଥିଲେ। ଫାଉଣ୍ଡେସନ୍ର ସଭାପତି ମହମ୍ମଦ ଫକିରୁଦ୍ଦିନ୍ ସଭାରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଅମିୟ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଭାସ ବରାଳ ଅତିଥିଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ। ଏହି ଅବସରରେ ଆଦରମଣୀ ବରାଳଙ୍କ ଗଳ୍ପ ପୁସ୍ତକ ‘ପିଲାଙ୍କ ପାଇଁ ଋଷୀୟ ଓ ଅନ୍ୟାନ୍ୟ ଗଳ୍ପ’ ଲୋକାର୍ପିତ ହୋଇଥିଲା। ଗାଳ୍ପିକ ଜ୍ୟୋତି ରଞ୍ଜନ ନନ୍ଦଙ୍କୁ ଅବନୀ ବରାଳ କଥା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆହୁତି ବରାଳ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଓ ଅବନୀପ୍ରେମୀ ସାଧାରଣ ଜନତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/abni-barala.jpg)