ବରାଦିରେ ମିଳୁଛି ଅବଢ଼ା, କରୋନା କଟକଣା ମାନି ହେଉଛି ରୋଷେଇ

ସଟ୍‌ଡାଉନ୍‌ରେ ବନ୍ଦ

ପୁରୁଣା ଭୁବନେଶ୍ବର: କରୋନା ପ୍ରଭାବରେ ସାରା ଦେଶରେ ଦେବଦେବୀଙ୍କ ମନ୍ଦିର ବନ୍ଦ ରହିଥିବା ବେଳେ ଏକାମ୍ର କ୍ଷେତ୍ରରେ ମନ୍ଦିରଗୁଡ଼ିକ ମଧ୍ୟ ସେଥିରୁ ମୁକୁଳି ନାହିଁ। ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ନୀତିକାନ୍ତି ହେଉଥିବା ବେଳେ ସାଧାରଣ ଦର୍ଶନ ବନ୍ଦ ରହିଛି। ଫଳରେ ଅବଢ଼ା ପାଇବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରର ଆନନ୍ଦ ବଜାର ଖାଁ ଖାଁ ରହିଛି। କେବଳ କାଁ ଭାଁ ବରାଦିରେ ମିଳୁଛି ଅନନ୍ତ ବାସୁଦେବଙ୍କ ଅବଢ଼ା।

ଶ୍ରୀକ୍ଷେତ୍ରରେ ମହାପ୍ରସାଦ ଭଳି ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବ ମନ୍ଦିରର ଅବଢ଼ାର ଅନେକ ଆଦର ରହିଛି। ମନ୍ଦିରକୁ ଆସୁଥିବା ଭକ୍ତଙ୍କର ଅବଢ଼ା ପାଇବା ପାଇଁ ମନରେ ଅନେକ ଆଶା ଥାଏ। ଏହାଛଡ଼ା ଗରିବ ବ୍ରାହ୍ମଣ, ଭିକାରୀ, ଦୁଃଖୀରଙ୍କି ମଧ୍ୟ ଅବଢ଼ା ଖାଇ ଦିନ କାଟୁଥିଲେ। ଏବେ ସେମାନେ ମଧ୍ୟ ଏଠାରୁ ଅବଢ଼ା ପାଇପାରୁ ନାହ‌ାଁନ୍ତି। ଏବେ କେବଳ ବରାଦିରେ ଅବଢ଼ା ମିଳୁଛି। ଲକ୍‌ଡାଉନ୍‌ ଆରମ୍ଭରୁ ମନ୍ଦିରକୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ପରେ ଅବଢ଼ା ମଧ୍ୟ ବିକ୍ରି ମଧ୍ୟ ବନ୍ଦ ହୋଇଯାଇଛି। ତେବେ ଏହି ସମୟରେ ବିଭିନ୍ନ ଶୁଦ୍ଧିକ୍ରିୟା, ବ୍ରତ, ଜନ୍ମଦିନରେ ଅବଢ଼ାର ଆବଶ୍ୟକତାକୁ ଲକ୍ଷ୍ୟ କରି ବ୍ରାହ୍ମଣ ନିଯୋଗ ଅବଢ଼ା ଯୋଗାଉଛି। ସାମଜିକ ଦୂରତା ରଖି ଓ ମାସ୍କ ପିନ୍ଧି ଅବଢ଼ା ରୋଷେଇ କରାଯିବା ସହ ବରାଦ ଦେଇଥିବା ଲୋକଙ୍କୁ ଯୋଗାଇ ଦିଆଯାଉଛି ବୋଲି ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି। ତାଙ୍କ କହିବା ଅନୁଯାୟୀ କରୋନା କଟକଣା ମାନି କାମ କରିବା ପାଇଁ ସୁଆର ସେବାୟତଙ୍କୁ କୁହାଯାଇଛି। ତେବେ ସଟ୍‌ଡାଉନ୍‌ରେ ବନ୍ଦ ରହିଛି। ଅନ୍ୟ ଦିନ ଅପେକ୍ଷା ଏବେ ମାତ୍ର ଶତକଡ଼ା ୧୦ଭାଗ ବରାଦ ରଖାଯାଉଛି। ଅତି ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଅବଢ଼ା ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର