ଭୁବନେଶ୍ବର : ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ ଅଭୟ ସିଂହ। ପୁସ୍ତକରେ ବଞ୍ଚୁଥିଲେ। ପତ୍ରିକା ସହ ତାଙ୍କର ନିବିଡ଼ ସମ୍ପର୍କ ରହିଥିଲା। ତାଙ୍କ ଦ୍ବାରା ଲିଖିତ ଅନେକ ସ୍ତମ୍ଭ ସମାଜରେ ଅନେକ ପରିବର୍ତ୍ତନ ଆଣିଛି। ବିନା ସ୍ବାର୍ଥରେ ସେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିଲେ। ରାଜକିଶୋର ନାୟକ ଫାଉଣ୍ଡେସନ ପକ୍ଷରୁ ଖାରବେଳନଗର କ୍ବାର୍ଟର୍‌ ନଂ. ଭିଆଇଆଇଆର-୧ରେ ସାହିତ୍ୟିକ ତଥା ସ୍ତମ୍ଭକାର ଅଭୟ ସିଂହଙ୍କ ସ୍ମୃତିଚାରଣ ସଭାରେ ଯୋଗ ଦେଇଥିବା ବକ୍ତାମ‌ାନେ ଏହା କହିଛନ୍ତି।

Advertisment

ଏହି ସ୍ମୃତିସଭାରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଖବରକାଗଜ ଶିଳ୍ପକୁ ଆସିବା‌ ପରେ ଅଭୟଙ୍କ ସହିତ ପରିଚୟ ହୋଇଥିଲା। ତାଙ୍କ ସମ୍ପର୍କରେ ଉଚ୍ଚାରଣ କଲେ ଯେତିକି ଆନନ୍ଦ ମିଳେ ସେତିକି କଷ୍ଟ ଲାଗେ। ସେ ଜଣେ ଭଲ ମଣିଷ ଥିଲେ। ଅନ୍ୟ ପାଇଁ ବଞ୍ଚୁଥିଲେ। ତାଙ୍କର କାଗଜ, କଲମ ଓ କାଳି ସହିତ ନିବିଡ଼ ସମ୍ପର୍କ ଥିଲା। ଯାହା ଠିକ୍‌ ଭାବୁଥିଲେ, ତାହା ହିଁ କରୁଥିଲେ। ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଲେ, ସ୍ବର୍ଗତ ସିଂହ ମୋ ବଡ଼ଭାଇ ଭଳି ଥିଲେ। ଆମ ପରିବାରର ସଦସ୍ୟ ଥିଲେ। ସ୍କୁଲରେ ପଢ଼ିବା ସମୟରୁ ତାଙ୍କ ସଂସ୍ପର୍ଶରେ ଆସିଛି। କୌଣସି ପରିସ୍ଥିତିରେ ବି ସେ ଭାଙ୍ଗି ପଡ଼ନ୍ତି ନାହିଁ। କେନ୍ଦ୍ରାପଡ଼ାରେ ଜନ୍ମ ହୋଇ ସେ ନିଜର ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ମାଧ୍ୟମରେ ଝଡ଼ ସୃଷ୍ଟି କରୁଥିଲେ। ଏକାଧାରରେ ସେ ଥିଲେ ଜଣେ ସିଧା ମଣିଷ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ କହିଲେ, ଅତି ସାଧାରଣରେ ସେ ଥିଲେ ଅସାଧାରଣ ମଣିଷ। ଶାନ୍ତ ଓ ସରଳ ସ୍ବଭାବର ଥିଲେ।

ମାୟାଧର ନାୟକ ଯୋଗଦେଇ କହିଲେ ଯେ ତାଙ୍କ ସହିତ ଦୀର୍ଘଦିନର ସମ୍ପର୍କ। ତାଙ୍କ ଲେଖା, ଶବ୍ଦ ନିଆରା। ସେ ଅନେକ କୀର୍ତ୍ତି ଛାଡ଼ି ଦେଇ ଯାଇଛନ୍ତି। ଏହାକୁ ନେଇ ଏକ ସ୍ମରଣିକା ପ୍ରକାଶ ପାଇଲେ ତାଙ୍କ ପାଇଁ ଉଚିତ ଶ୍ରଦ୍ଧାଞ୍ଜଳି ହେବ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ, ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ସୁମିତ୍ରା ଜେନା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।