ଉଭୟ ଦେଶରେ ଚଳଚ୍ଚିତ୍ର ‘ଅଭିନନ୍ଦନ’

ଜମ୍ମୁ-କଶ୍ମୀରର ପୁଲ୍‌ଵାମାରେ ଘଟିଥିବା ଆତ୍ମଘାତୀ ଆକ୍ରମଣ ଏବଂ ପାକିସ୍ତାନର ବାଲାକୋଟ୍‌ରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌, ଏ ଦୁଇଟି ଘଟଣା ଉଭୟ ଭାରତ ଓ ପାକିସ୍ତାନବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ତେବେ ଉରିରେ ହେଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରୁ ପୁଲ୍‌ଵାମା ଆତ୍ମଘାତୀ ଆକ୍ରମଣ ଏବଂ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ଏ ସବୁ ଘଟଣାକୁ ଆଧାର କରି ଭାରତର ବଲିଉଡ୍‌ ଇଣ୍ଡଷ୍ଟ୍ରି ସକ୍ରିୟ ହେଇଥିବା ବେଳେ ସେପାଖେ ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଉଇଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ପାକିସ୍ତାନ ମାଟିରେ ପଡ଼ିବା ଘଟଣାକୁ ନେଇ ଏକ ହାସ୍ୟ ରସାତ୍ମକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପାଗ ବାନ୍ଧିଛି। କିଛି ଦିନ ହେବ ବଲିଉଡ୍‌ରେ ବାୟୋପିକ୍‌ ଟ୍ରେଣ୍ଡ ଜାରି ରହିଥିବା ବେଳେ କିଛି ବାସ୍ତବ ଘଟଣାକୁ ନେଇ ମଧ୍ୟ ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି। ଏଇ ଯେମିତି ଉରି-ଦ ସର୍ଜିକାଲ ଷ୍ଟ୍ରାଇକ୍‌, ସବରଜିତ୍‌, ମେରିକମ୍‌, ମଣିକର୍ଣ୍ଣିକା, ନିର୍‌ଜା, କେଶରୀ, ମିସନ୍‌ ମଙ୍ଗଲ୍‌। ନିକଟରେ ବିବେକ ଓବରୟ ଆଇଏଏଫ୍‌ ଅଭିନନ୍ଦନ ଏବଂ ତାଙ୍କ ଜୀବନୀକୁ ନେଇ ଏକ ଫିଲ୍ମ କରିବାକୁ ଘୋଷଣା କରିଛନ୍ତି। ବିବେକ କହିଛନ୍ତି, ‘ଜଣେ ଗର୍ବିତ ଭାରତୀୟ, ପ୍ରଗାଢ଼ ଦେଶପ୍ରେମୀ, ଚଳଚ୍ଚିତ୍ର ଜଗତରେ ଭାଇଚାରାର ଭାବ ନେଇ ବଞ୍ଚୁଥିବାରୁ ମୋର ମଧ୍ୟ ଏହା ଏକ ବଡ଼ କର୍ତ୍ତବ୍ୟ ଯେ ଆମ ସେନାଙ୍କ ନିକଟରେ କି ପ୍ରକାର ସାହସିକତା ଓ ସାମର୍ଥ୍ୟ ରହିଛି, ତାହା ସିନେମା ମାଧ୍ୟମରେ ଦେଶବାସୀଙ୍କୁ ଜଣାଇବା। ଶତ୍ରୁକୁ ଦମନ କରିବା ପାଇଁ ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଯେଭଳି ଜୀବନକୁ ବାଜି ଲଗାଇବା ଭଳି ପଦକ୍ଷେପ ନେଇଥିଲେ, ସେଥିରେ ଆମେ ଭାରତୀୟ ମାନେ ବିଶେଷ ଭାବେ ଗର୍ବିତ ହେବା ଉଚିତ।’ ଉଭୟ ‘ବାଲାକୋଟ୍‌’ ଓ ‘ଆଇଏଏଫ୍‌ କମାଣ୍ଡର୍‌ ଅଭିନନ୍ଦନ’ ଚିତ୍ର ଦୁଇଟି ୨୦୨୦ ଫେବ୍ରୁଆରିରେ ମୁକ୍ତିଲାଭ କରିବ। ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟଣା ଓ ଦୁର୍ଘଟଣା ଏବଂ ଏଥିରେ ବଳିଦାନ ଦେଉଥିବା ସେନାଙ୍କ ଜୀବନୀକୁ ନେଇ ବଲିଉଡ୍‌ ଫିଲ୍ମ ତିଆରି କରୁଥିବାର ଦେଖି ସେପାଖେ ପାକିସ୍ତାନ ସିନେ ଇଣ୍ଡଷ୍ଟ୍ରିର ନାହି ଡେଇଁଲାଣି। ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରି କୁଆ‌େଡ଼େ ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ତଳେ ଖସି ପଡ଼ିବା ଘଟଣାକୁ ନେଇ ଏକ କମେଡ଼ି ମୁଭି ପ୍ରସ୍ତୁତ କରୁଛି। ସେଠାକାର ସମ୍ବାଦପତ୍ର ଦୁନିଆ ନ୍ୟୁଜ୍‌କୁ ଅଭିନେତା ଆବାସି କହିଛନ୍ତି, ଏହି ଚଳଚ୍ଚିତ୍ରଟି ମୋର ବନ୍ଧୁ, ପ୍ରଶଂସକ ଏବଂ ପାକିସ୍ତାନୀ ଦର୍ଶକଙ୍କୁ ନିଶ୍ଚିତ ଭାବେ ଚକିତ କରିବ। ଏହି ଚିତ୍ରଟି ତାଙ୍କ ଦେଶରେ ଠିକ୍‌ ଫେବ୍ରୁଆରି ୨୭ ତାରିଖରେ ଅର୍ଥାତ୍‌ ଯେଉଁଦିନ ଅଭିନନ୍ଦନ ଆକାଶ ମାର୍ଗରୁ ପାକିସ୍ତାନ ମାଟିରେ ଖସି ପଡ଼ିଥିଲେ, ସେହିଦିନ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର