ପିଲା ବେଳେ ମୁଁ କଟକର ମିସନ ଗାର୍ଲସ୍ ସ୍କୁଲରେ ପଢ଼ୁଥିଲି। ସେତେବେଳେ ମୋର ଭଲ ସାଙ୍ଗ ଥିଲା ରୁନୁ। ସେ ଦେଖିବାକୁ ତକତକ ଗୋରା, ସୁନ୍ଦର ଓ ଟିକେ ମୋଟା। ଆଉ ମୁଁ ଥିଲି ଝୁନୁ। ଦେଖିବାକୁୁ ଶ୍ୟାମଳ ଓ ତନୁ ପାତେଳି। ଆମେ ଦୁହେଁ ସ୍କୁଲ୍ରେ ନାଚ, ଗୀତ ଓ ଡ୍ରାମା ସବୁଥିରେ ଭାଗ ନେଉ। ଏମିତି ହେଉ ହେଉ ରୁନୁ ଝୁନୁ ବୋଲି ଆମ ଯୋଡ଼ି ବେଶ୍ ଚର୍ଚ୍ଚା ହେବାକୁ ଲାଗିଲା। ଏମିତି ହେଲା ଯେ ସମସ୍ତେ ରୁନୁ ଝୁନୁ ଜଣେ ବୋଲି ଭାବିଲେ। ଆମେ ଦୁହେଁ ଦୁହିଁକୁ ଭାରି ଭଲ ପାଉଥିଲୁ। ମୁଁ କୋଲ୍କାତା ଯେତେବେଳେ ଯାଉଥିଲି ସେଠାରୁ ନାଚ ଶିଖି ଆସୁଥିଲି। ପରେ ଆମେ ଦୁହେଁ ମିଶି ସ୍କୁଲ୍ରେ ନୂଆ ଗୀତରେ ନୂଆ ନାଚ ପ୍ରସ୍ତୁତ କରି ନାଚୁଥିଲୁ। ଉଭୟ ଭଲ ପାଠ ପଢ଼ୁଥିବା ସହ ଅନ୍ୟ ସବୁ କାମରେ ମାହିର୍ ଥିବାରୁ ସମସ୍ତେ ଆମକୁ ବହୁତ ଭଲ ପାଉଥିଲେ। ଏମିତି ହସ ଖୁସି ଓ ମଉଜ ମଜଲିସ୍ରେ ଜୀବନ କଟୁଥିଲା। ପରେ ସେ ବାହା ହୋଇଗଲା ଓ ମୁଁ ଚାକିରି କଲି। ଉଭୟ ଅଲଗା ହୋଇଗଲୁ ସତ କିନ୍ତୁ ଆମ ବନ୍ଧୁତ୍ୱ ସେମିତି ସତେଜ ଥିଲା, ସଜ ଫୁଲଟିଏ ଭଳି। ଗତ ସୋମବାର ରୁନୁର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିଲା। ଆଜି ବି ତାକୁ ମନଟା ଭାରି ଝୁରେ। ଅଭିମାନ ବି ଆସେ ଯେ, ମତେ ଛାଡ଼ି ସେ କେମିତି ଚାଲି ଯାଇପାରିଲା ବୋଲି।