ଆଠଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମୁଁ ଷଷ୍ଠ ଶ୍ରେଣୀ ପଢ଼ୁଥିଲି। ସେ ସମୟରେ ଆମର ଜଣେ ଗୋପବନ୍ଧୁ ସାର୍‌ ଥିଲେ। ମୁଁ ଭଲ ଭାଷଣ ଦେଉଥିବାରୁ ଗୋପବନ୍ଧୁ ସାର୍‌ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମତେ କିଛି କହିବାକୁ ଆମ ପ୍ରଧାନଶିକ୍ଷକ ମତେ କହିଥିଲେ। ମୁଁ ମଞ୍ଚକୁ ଗଲି। ଅଳ୍ପ କିଛି କହିଛି କି ନାହିଁ, ହଠାତ୍‌ ଭାବବିହ୍ଵଳ ତଥା ନର୍ଭସ୍‌ନେସ୍‌ ଯୋଗୁଁ ଆଉ କିଛି କହିପାରିନଥିଲି। କିଛି ମନେ ମଧ୍ୟ ପଡ଼ିଲାନି ସେ ସମୟରେ। ଭାରି ଲାଜ ଲାଗିଲା ଆଉ ଅପମାନ ବି। ଆଜି ବି ସେ ସ୍ମୃତି ମୋର ମନେ ପଡ଼େ। ସେମିତି କୁମାରପୁର ଶାସନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ପଢ଼ୁଥିବା ସମୟରେ ପ୍ରଥମ କରି ସ୍କୁଲ ନେବା ପାଇଁ ନନା ମୋ ପାଇଁ ଏକ ସୁନ୍ଦର କଲମଟିଏ ଆଣି ଦେଇଥିଲେ। ଦୁର୍ଭାଗ୍ୟକୁ ସେ କଲମ ସେହି ଦିନ ହିଁ ସ୍କୁଲରେ ହଜିଗଲା। ମୁଁ ସେ ଦିନ ବହୁତ କାନ୍ଦିଥିଲି। ଏଥିପାଇଁ ନୁହେଁ ଯେ କଲମଟି ହଜିଯାଇଛି। ଏଥିପାଇଁ କାନ୍ଦୁଥିଲି କାରଣ ନନା ବହୁତ ମାରିବେ। କିନ୍ତୁ ସେମିତି କିଛି ହେଲାନି। ନନା ଏକଥା ଜାଣିବା ପରେ ଆଉ ଏକ କଲମ ନେଇ ଆସିଥିଲେ। କିନ୍ତୁ ସେ ଡର ମିଶା ଅନୁଭୂତି ମୋର ମାନସପଟରେ ଏବେବି ତାଜା ରହିଛି।