ସ୍କୁଲରେ ପଢ଼ିିବା ସମୟରେ ବାର୍ଷିକୋତ୍ସବ ଆସିବା ପୂର୍ବରୁ ଡ୍ରାମା ଅଭ୍ୟାସ କରାଯାଏ। ସାର୍ମାନେ ଡ୍ରାମାରେ ଅଭିନୟ କରିବାକୁ ପିଲା ଖୋଜନ୍ତି। ଆମେ କିନ୍ତୁ ଥିଲୁ ପଛ ବେଞ୍ଚ ପିଲା। ସବୁବେଳେ ବଦ୍ମାସି କରିବା, ଡଙ୍ଗା ପହଁରିବା, ହାଉ ହାଉ ହେବା ଆମର ଅଭ୍ୟାସ। ତେଣୁ ଆମକୁ କୌଣସି ସୁଯୋଗ ମିଳେନା। ଥରେ ବେଣୁ ସାର୍ ଆସି କୃଷ୍ଣ କିଏ ହେବ ବୋଲି ଖୋଜୁଥିଲେ। ସେତେବେଳେ ପଛ ବେଞ୍ଚ୍ରେ ବସିି ମୁଁ ପାଟି କରୁଥିଲି। ସାର୍ ମତେ ପଛରୁ ଡାକି କାହିଁକି ଗପୁଛୁ ବୋଲି ଗାଳି ଦେଲେ। କହିଲେ ଡ୍ରାମା ପାଇଁ ପିଲା ଖୋଜା ହେଉଛି, ତୁ ଏଠି ପାଟି କରୁଛୁ। ମୁଁ କହିଲି, ଆମକୁ କିଏ ପଚାରନ୍ତିନି କି ସୁଯୋଗ ଦିଅନ୍ତିନି। ସେ କହିଲେ, ହଉ ଚାଲ୍ ତୁ କୃଷ୍ଣ ହେବୁ। ଗୀତିନାଟ୍ୟ ଗଣେଶରେ କୃଷ୍ଣଙ୍କର କିଛି ଭୂମିକା ନାହିଁ। ଖାଲି ଯାହା ହସି ହସି ମଞ୍ଚରୁ ଫେରିବାର ଥିଲା। ସେହି କୃଷ୍ଣଙ୍କ ହସ ଉପରେ ବହୁ ତର୍ଜମା ଚାଲିଲା। କୃଷ୍ଣ କେମିତି ହସନ୍ତି ବୋଲି। ଶେଷରେ ମୁଁ ସଫଳ ହେଲି। ସମସ୍ତେ ମୋ ଅଭିନୟ ଅର୍ଥାତ ହସକୁ ପସନ୍ଦ କଲେ। ସେବେଠାରୁ ମୋ ମୁହଁରେ ଗୋଟେ ହସ ରହିଯାଇଛି। ମୋ ଚଗଲାମି ମତେ ଡ୍ରାମାରେ ଭାଗ ନେବାର ସୁଯୋଗ ଦେଲା ଓ ମୋର ସେ ଦିନ ଅଭୁଲା ହୋଇ ରହିଗଲା।