ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ମୁଣ୍ଡିଆରେ ଘଟିଥିବା ବାଲିପଡ଼ା ଗାଁର ଅବିନାଶ ପ୍ରଧାନ ହତ୍ୟା ମାମଲାରେ କମିସନରେଟ୍ ପୁଲିସର ତଦନ୍ତ କାମ କରୁନି। ୪୮ ଘଣ୍ଟାରୁ ଅଧିକ ସମୟ ବିତିସାରିଥିଲେ ବି ହତ୍ୟାକାରୀଙ୍କ ବାବଦରେ ପୁଲିସ ସାମାନ୍ୟତମ ସୁରାକ୍ ପାଇନାହିଁ। ଦୁଇ ଦିନ ହେଲା ହତ୍ୟାକାଣ୍ଡର ଖିଅ ଖୋଜୁଛି ପୁଲିସ। ଅନ୍ଧାରରେ ବାଡ଼ି ବୁଲାଇବା ସାର ହୋଇଛି। ଥାନାଠାରୁ ମାତ୍ର କେଇ ଗଜ ଦୂରରେ ପୁଣି ଲୋକଙ୍କ ଯାତାୟାତ ରାସ୍ତାରେ ତଥା ଚଳପ୍ରଚଳ ହେଉଥିବା ସମୟରେ ଦୁର୍ବୃତ୍ତମାନେ କିଭଳି ଏଭଳି କାଣ୍ଡ କରି ଫେରାର୍ ହୋଇଗଲେ, ତାହା ପୁଲିସକୁ ବି ବିସ୍ମିତ କରିଛି। ହତ୍ୟାକାଣ୍ଡ ପଛରେ ଅନ୍ୟ କୌଣସି କାରଣ ନଥିବାରୁ ପୁଲିସ ଏବେ କେବଳ ଅବିନାଶଙ୍କ ପ୍ରେମିକା କୁହାଯାଉଥିବା ଇଂଜିନିୟରିଂ ଛାତ୍ରୀଙ୍କ ଉପରେ ନଜର ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ତେବେ ଉପଯୁକ୍ତ ପ୍ରମାଣ ହାତରେ ଲାଗିନଥିବାରୁ ପୁଲିସ ସେହି ସନ୍ଦିଗ୍ଧ ପ୍ରେମିକାଙ୍କୁ ପଚରାଉଚରା କରିପାରିନାହିଁ।
ଆଜି ଦିନତମାମ୍ ପୁଲିସ ପୁଣି କିଛି ସମ୍ଭାବ୍ୟ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି। ଏକ ଫୁଟେଜ୍ରୁ ମିଳିଥିବା ଚିତ୍ର ଅନୁସାରେ ଅବିନାଶ ଜଣେ ଯୁବକଙ୍କୁ ବାଇକ୍ରେ ବସାଇ ବୁଲୁଥିବା ଦେଖିବାକୁ ମିଳିଛି। ତେବେ ସେହି ଯୁବକ ଜଣକ କିଏ, ତାହା ସ୍ପଷ୍ଟ ହୋଇପାରିନାହିଁ। ଉକ୍ତ ଯୁବକ ଠାବ ହେବା ପରେ ବହୁତ କିଛି ତଥ୍ୟ ମିଳିବ ବୋଲି କୁହାଯାଉଛି। ସେହିଭଳି ଅନ୍ୟ କିଛି ସିସିଟିଭି ଫୁଟେଜ୍ ଚିତ୍ର ଅନୁସାରେ ଘଟଣା ଘଟିବାର କିଛି ସମୟ ପୂର୍ବରୁ ଉକ୍ତ ସ୍ଥାନକୁ ୩ଟି ବାଇକ୍ ଯାଇଛି ଓ ଦୁଇଟି ବାଇକ୍ ଫେରିଆସିଛି।
ଘଟଣାସ୍ଥଳରୁ ଅବିନାଶଙ୍କ ବାଇକ୍ ମିଳିଥିବାରୁ ତାଙ୍କ ସହ ଥିବା ଅନ୍ୟ ଦୁଇଟି ବାଇକ୍ ହିଁ ସେଠାରୁ ଫେରିଥିବା ଅନୁମାନ କରାଯାଉଛି। ତେଣୁ ଉକ୍ତ ଦୁଇ ବାଇକ୍ରେ ଥିବା ଯୁବକମାନେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ଅନ୍ଧାରିଆ ହୋଇଥିବାରୁ ବାଇକ୍ ଦୁଇଟିର ନମ୍ବର ଓ ଆରୋହୀମାନଙ୍କ ମୁହଁ ଜଣାପଡ଼ୁନାହିଁ। ତେବେ ବଡ଼ କଥା ହେଉଛି, ଅବିନାଶଙ୍କ ମୋବାଇଲ୍ କଲ୍ ରେକର୍ଡ ବାବଦରେ ପୁଲିସ କି ତଥ୍ୟ ପାଇଛି, ତାହା ସମ୍ପୂର୍ଣ୍ଣ ଗୋପନ ରଖାଯାଇଛି। ତେଣୁ ପୁଲିସ ଉକ୍ତ ରେକର୍ଡରୁ ଯାହା ପାଇଛି ଓ ତାହାକୁ ନେଇ ଏକ ବଡ଼ଧରଣର ଖୋଳତାଡ୍ ଚାଲିଛି ବୋଲି ସୂଚନା ମିଳିଛି।
ଅପରପକ୍ଷେ ଅବିନାଶଙ୍କ ପରିବାର ପକ୍ଷରୁ ବି ପୁଲିସକୁ କୌଣସି ସ୍ପଷ୍ଟ ତଥ୍ୟ ମିଳୁନାହିଁ। ପ୍ରେମବ୍ୟାପାର ପ୍ରସଙ୍ଗ ଉଠାଉଥିଲେ ବି କିଏ କେବେ ତାଙ୍କୁ ମାରିବାକୁ ଧମକ ଦେଇଥିଲା ବୋଲି ପରିବାର ଲୋକେ କହିପାରୁନାହାନ୍ତି। ଫଳରେ ପୁଲିସ ତଦନ୍ତ ସହଜରେ ଆଗେଇପାରୁନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ତେଣୁ ହତ୍ୟାକାରୀଙ୍କୁ ଠାବ କରିବା ପାଇଁ ପୁଲିସକୁ କେବଳ ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ନିର୍ଭର କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ତଥାପି ଏକ ସ୍ବତନ୍ତ୍ର ଟିମ୍ ଅବିନାଶଙ୍କ ପରିବାର ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି।
ସେହିଭଳି ହତ୍ୟାକାରୀମାନେ ଏଭଳି ଚତୁରତାର ସହ କାଣ୍ଡ କରିଛନ୍ତି ଯେ ହଠାତ୍ ଏହା ଏକ ଆତ୍ମହତ୍ୟା ଭଳି ଜଣାପଡ଼ୁଛି। ହୁଏତ ଅବିନାଶଙ୍କ ପ୍ରେମିକା ତାଙ୍କୁ ଧୋକ୍କା ଦେଇଥିବାରୁ ପ୍ରେମରେ ବିଫଳ ହୋଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ବିଶ୍ବାସ କରାଯାଉଛି। ଲଭର୍ସ ପଏଣ୍ଟ ଭାବେ ଜଣାଶୁଣା ଶିଖରଚଣ୍ଡୀ ମୁଣ୍ଡିଆରେ ସେମାନେ ପୂର୍ବରୁ ମିଳାମିଶା କରୁଥିବାରୁ ଉକ୍ତ ସ୍ଥାନରେ ହିଁ ସେ ନିଜକୁ ସମାପ୍ତ କରିଥିବା କୁହାଯାଉଛି। କିନ୍ତୁ ମୃତଦେହ ନିକଟରେ ବାଇକ୍ ଷ୍ଟାର୍ଟ ଅବସ୍ଥାରେ ରହିବା ଓ ଦେହରେ ନିଆଁ ଲାଗିବା ପରେ ଜଣେ ଧାଁଧଉଡ଼ ଓ ଚିତ୍କାର ନକରିବା ଭଳି ଘଟଣା ଭିନ୍ନ ଦିଗକୁ ସୂଚାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅବିନାଶଙ୍କ ଶରୀରର କେବଳ ସମ୍ମୁଖ ଭାଗ ହିଁ ପୋଡ଼ିଯାଇଛି। ପିଠି ପଟର କିଛି କ୍ଷତି ହୋଇନାହିଁ। ତେଣୁ ଶୋଇଥିବା ଅବସ୍ଥାରେ ତାଙ୍କ ଦେହରେ ନିଆଁ ଲାଗିଛି ବୋଲି ଜଳଜଳ ହୋଇଦେଖାଯାଉଛି। ଅର୍ଥାତ୍ କେହି ତାଙ୍କୁ ହତ୍ୟା କରିବା ପରେ ତଳେ ଶୁଆଇ ଦେଇ ନିଆଁ ଲଗାଇଛି ବୋଲି ପ୍ରାୟ ସ୍ପଷ୍ଟ ହୋଇଛି। ତେବେ ଖୁବ୍ ଶୀଘ୍ର ଏହି ମାମଲା ପଛର ରହସ୍ୟ ଉପରୁ ପୁଲିସ ପର୍ଦ୍ଦା ହଟାଇବ ବୋଲି ସୂଚନା ମିଳିଛି।