ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ ବୈଠକ : ଆଇଟିଆଇ ପଞ୍ଜୀକରଣ ଫି’ ଉଚ୍ଛେଦ

ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଶିକ୍ଷକଙ୍କୁ ତାଲିମ ଦେବାକୁ ନିର୍ଦ୍ଦେଶ
ଛାତ୍ରଛାତ୍ରୀଙ୍କ ପରିଚୟ ଓ ଉପସ୍ଥାନ ପାଇଁ ଆଧାର ସଂଯୋଗ ହେବ

ଭୁବନେଶ୍ୱର : ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦର ୨୮ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିସନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ପରିଷଦ ପକ୍ଷରୁ ଆଗତ କରାଯାଇଥିବା ବିଭିନ୍ନ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଆଇଟିଆଇ ପଞ୍ଜୀକରଣ ଫି’ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଇଟିଆଇ ଓ ପଲିଟେକ୍‌ନିକ୍ ଶିକ୍ଷା ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ସବୁ ଛାତ୍ରଛାତ୍ରୀଙ୍କ ପରିଚୟ ଓ ଉପସ୍ଥାନକୁ ଆଧାର ସଂଯୋଗୀକରଣ ଉପରେ ସଚିବ ଗୁରୁତ୍ବାରୋପ କରିବା ସହ ଏଟିଇଭିଟିରେ ଏକ ଉନ୍ନତମାନର ପାଠାଗାର, ଡିଜିଟାଲ୍ ଲାଇବ୍ରେରି ପ୍ରତିଷ୍ଠା କରିବାକୁ ଶ୍ରୀ ସିଂ ପ୍ରସ୍ତାବ ଦେଇଥିଲେ।

କୋଲକାତାର ଏନ୍‌ଆଇଟିଟିଆର୍, ଚଣ୍ଡିଗଡ଼ର ଏନ୍‌ଆଇଟିଟିଆର୍‌ ଭଳି ସଂସ୍ଥାରେ ଆଇଟିଆଇ ଓ ପଲିଟେକ୍‌ନିକ୍‌ର ପ୍ରଶିକ୍ଷକଙ୍କୁ ଅନ୍‌ଲାଇନ୍ ପ୍ରଶିକ୍ଷଣ ବ୍ୟବସ୍ଥା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଆଇଟିଆଇ ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରାଯାଉଥିବା ପଞ୍ଜୀକରଣ ଫି’ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ସେହିପରି ପରିଷଦ ଅଧୀନସ୍ଥ ଅନ୍‌ଲାଇନ୍ ପରୀକ୍ଷା ନିମନ୍ତେ ଭେଣ୍ଡର ଚୟନ ପାଇଁ ନିଷ୍ପତ୍ତି ହୋଇଛି। ଆପ୍ରେଷ୍ଟିକ୍‌ ପରୀକ୍ଷା ଫି’ ଆଦାୟ ଛାଡ଼, ପରୀକ୍ଷା ଓ ସହବନ୍ଧନ ନିୟମ, ଏସ୍‌ସିଟିଇଟି ଫେଲୋ ନିଯୁକ୍ତି ସମ୍ବନ୍ଧୀୟ ବିଭିନ୍ନ ବିଷୟ ନେଇ ଥିବା ପ୍ରସ୍ତାବଗୁଡ଼ିକ ବୈଠକରେ ଅନୁମୋଦିତ ହୋଇଛି। ଏହି ବୈଠକରେ ପରିଷଦର ସଚିବ ଏସ୍ କେ ମିଶ୍ର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିବା ବେଳେ ଉପାଧ୍ୟକ୍ଷ ତଥା ଡିଟିଇଟି ନିର୍ଦ୍ଦେଶକ ରେଘୁ ଜି., ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ସୁଦର୍ଶନ ପଣ୍ଡାଙ୍କ ସମେତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ, କୋଲକାତା ଏନ୍‌ଆଇଟିଟିଆର୍‌ ନିର୍ଦ୍ଦେଶକ, ସିଟିଟିସିର ସାଧାରଣ ପରିଚାଳକ, ସିଇଟିର ଅଧ୍ୟକ୍ଷ, ବୋଷ ଆଇଟିଆଇର ଅଧକ୍ଷ, କଟକ ଆଇଟିଆଇର ଅଧ୍ୟକ୍ଷ ଓ ଓପେସାର ସାଧାରଣ ପରିଚାଳକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର