ଖଣ୍ଡଗିରି: ରାଜଧାନୀର ବିଭିନ୍ନ ମେଡିସିନ୍ ଷ୍ଟୋରରେ ଗର୍ଭପାତ କିଟ୍ ବିକ୍ରି ହେଉଛି। ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ବିନା ଏହି କିଟ୍ ବିକ୍ରିଚାଲିଛି। ଏନେଇ ବିଭିନ୍ନ ସାମାଜିକ ସଂଗଠନ ଅଭିଯୋଗ କରିବା ପରେ ଡ୍ରଗ୍ କଣ୍ଟ୍ରୋଲର୍ ପକ୍ଷରୁ ଆଜି ଚଢ଼ଉ କରାଯାଇଛି। ନୂଆପଲ୍ଲୀ ଅଞ୍ଚଳ ସମେତ ରାଜଧାନୀର ବିଭିନ୍ନ ମେଡିସିନ୍ ଷ୍ଟୋର୍ରେ ଚଢ଼ଉ କରାଯାଇ ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ କିଛି ଦୋକାନରୁ ଗର୍ଭପାତ କିଟ୍ ସହିତ କିଟ୍ ବିକ୍ରିର ରସିଦ୍ ଜବତ କରାଯାଇଛି। ଡାକ୍ତରଙ୍କ ବିନା ପରାମର୍ଶରେ ଏହି କିଟ୍ର ପ୍ରୟୋଗ ଦ୍ବାରା ଜୀବନ ପ୍ରତି ବିପଦ ଥିବାରୁ ଏପରି ଚଢ଼ଉ କରାଯାଇଥିବା ସୂଚନା ଦିଆଯାଇଛି। ଆଜି ପୂର୍ବାହ୍ନରେ ଡ୍ରଗ୍ କଣ୍ଟ୍ରୋଲର୍ ପକ୍ଷରୁ ନୂଆପଲ୍ଲୀର ୨ଟି ପ୍ରତିଷ୍ଠିତ ମେଡିସିନ୍ ଷ୍ଟୋର୍ରେ ଡ୍ରଗ୍ କଣ୍ଟ୍ରୋଲର୍ର ଏକ ତିନିଜଣିଆ ଟିମ୍ ପହଞ୍ଚି ଅତର୍କିତ ଚଢ଼ଉ ଆରମ୍ଭ କରିଥିଲେ। ସେଠାରୁ ୨୭ଷ୍ଟ୍ରିପ୍ ଅବୈଧ ଗର୍ଭପାତ କିଟ୍ ଜବତ କରାଯିବା ସହିତ ପୂର୍ବରୁ ଏହି ଦୋକାନରୁ ବିକ୍ରି ହୋଇଥିବା ଗର୍ଭପାତ କିଟ୍ ସମ୍ପର୍କିତ କାଗଜପତ୍ର ଜବତ କରାଯାଇଥିଲା। ଜବତ କିଟ୍ ମଧ୍ୟରୁ ୨ଟି କିଟ୍କୁ ନମୁନା ଭାବେ ସେଣ୍ଟ୍ରାଲ୍ ଡ୍ରଗ୍ସ ଲାବେରାଟୋରିକୁ ପଠାଯିବ।
ଡ୍ରଗ୍ କଣ୍ଟ୍ରୋଲର୍ ପକ୍ଷରୁ ନୂଆପଲ୍ଲୀରେ ଚଢ଼ଉ
କିଟ୍ ସମେତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ
ବିଭାଗ ପକ୍ଷରୁ କୁହାଯାଇଛି ଯେ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ବିନା ଏହି ଦୋକାନଗୁଡ଼ିକରେ କିଟ୍ ବିକ୍ରି ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ଆସିଥିଲା। ନୂଆପଲ୍ଲୀ ଓ ପଟିଆ ଅଞ୍ଚଳରେ ଗର୍ଭପାତ କିଟ୍ର ମାତ୍ରାଧିକ ବ୍ୟବହାର ନେଇ କିଛି ସାମାଜିକ ସଂଗଠନ ଡ୍ରଗ୍ସ କଣ୍ଟ୍ରୋଲର୍କୁ ଅଭିଯୋଗ କରିଥିଲେ। ସେହିପରି କିଛି ନାବାଳିକା ମଧ୍ୟ ଏହି କିଟ୍ ବ୍ୟବହାର କରିଥିବା ଜଣାପଡ଼ିଥିଲା। ଏହାର ପ୍ରୟୋଗ ଦ୍ବାରା ମାତ୍ରାଧିକ ରକ୍ତସ୍ରାବ, ଉଚ୍ଚ ରକ୍ତଚାପ ସହିତ ଭବିଷ୍ୟତରେ ଗର୍ଭଧାରଣ କ୍ଷମତା ଉପରେ ଗୁରୁତର ପ୍ରଭାବ ପଡ଼ିଥାଏ। ତେଣୁ ଏନେଇ ସମ୍ପୃକ୍ତ ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ଏପରିକି ଦୋଷୀ ସାବ୍ୟସ୍ତ ହେଲେ ନିୟମାନୁଯାୟୀ ଡ୍ରଗ୍ ଲାଇସେନ୍ସ ବାତିଲ କରାଯିବ। ଆଗକୁ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ଏଭଳି ଚଢ଼ଉ କରାଯିବ ବୋଲି ଡ୍ରଗ୍ କଣ୍ଟ୍ରୋଲର୍ ପକ୍ଷରୁ କୁହାଯାଇଛି। ଆଜିର ଚଢ଼ଉରେ ଡ୍ରଗ୍ସ ଇନ୍ସ୍ପେକ୍ଟର(ଏନ୍ଫୋର୍ସମେଣ୍ଟ) ଚନ୍ଦନ କୁମାର ଗିରି, ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲର୍(ଭୁବନେଶ୍ବର ସର୍କଲ-୨) ସୁଦର୍ଶନ ବିଶ୍ବାଳ, ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲର୍(ଭୁବନେଶ୍ବର ସର୍କଲ-୧) ପ୍ରବେଶ କୁମାର ଲେଙ୍କା ସାମିଲ ଥିଲେ।