ଆବୁଧାବିରେ ଉତ୍କଳ ଦିବସ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ ସମାଜ, ଆବୁଧାବି ପକ୍ଷରୁ ୟୁଏଇର ରାଜଧାନୀ ଆବୁଧାବିଠାରେ ଶୁକ୍ରବାର ‘ଉତ୍କଳ ଦିବସ’ ପାଳିତ ହୋଇଯାଇଛି। ଆବୁଧାବିର ଇଣ୍ଡଆନ୍‌ ସୋସିଆଲ କଲ୍‌ଚରାଲ ସେଣ୍ଟରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତ୍ରୀ ନନ୍ଦିତା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଝଲକ ପ୍ରତିଫଳିତ ହୋଇଥିଲା। ଆବୁଧାବିରେ ରହୁଥିବା ପ୍ରବାସୀ ଓଡ଼ିଆ ତଥା କୁନି କୁନି ପିଲାମାନଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲା। ସେମାନଙ୍କ ନୃତ୍ୟ ଦର୍ଶକଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା। ଏହି ଅବସରରେ ଓଡ଼ିଶାରୁ ଆସିଥିବା କଳାକାରମାନେ ମଧ୍ୟ ନୃ୍ତ୍ୟଗୀତ ପରିବେଷଣ କରି ଦର୍ଶକଙ୍କୁ ମନୋରଂଜନର ଭରପୂର୍‌ ଖୋରାକ୍‌ ଯୋଗାଇଥିଲେ। ବିଶେଷକରି ଜାତୀୟ ପୁରସ୍କାର ବିଜେତା ପ୍ରକୃତି ମିଶ୍ରଙ୍କର ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତେବେ ନିର୍ବାଚନୀ କାର୍ଯ୍ୟ ଯୋଗୁଁ ଉତ୍ସବରେ ଯୋଗ ଦେଇପାରିନଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଆବୁଧାବିର ପ୍ରବାସୀ ଓଡ଼ିଆମାନଙ୍କୁ ଉତ୍କଳ ଦିବସ ପାଳନର ଶୁଭକାମନା ଜଣାଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥିଙ୍କୁ ପ୍ରବାସୀ ଓଡ଼ିଆ ସମାଜର ସଭାପତି ଦୀପକ ଦାସ, ଉପସଭାପତି ପ୍ରଶାନ୍ତ ସାହୁ, ସାଧାରଣ ସଂପାଦକ ହେମନ୍ତ କୁମାର ସିଂହ ସମ୍ମାନିତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଦର୍ଶକମାନଙ୍କ ପାଇଁ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଘର ଉଦ୍ୟୋକ୍ତା ଅଜାମୁଲ ହକ୍‌ ଏବଂ ସଂଜିତ୍‌ ରାୟ ପରିଚାଳନା କରିଥିବା ବେଳେ ଉପସଂପାଦକ ଦିଲୀପ ଦାସ, ସଂପ୍ରଦାୟ ବ୍ୟାପାର ମୁଖ୍ୟ ବିଶ୍ୱବିଜୟ ମହାନ୍ତି ଏବଂ ମହିଳା ବିଭାଗର ମାନା ସିଂହ, ୟସିମ୍‌ ହକ୍, ପ୍ରଜ୍ଞା ଦାଶ, ଅପରାଜିତା ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର