ପିଲା ଦିନୁ ମୋ ମା’ଙ୍କ ଦେହ ଖରାପ ଯୋଗୁଁ ମୁଁ ଦାୟିତ୍ୱର ବୋଝରେ ଧନ୍ଦି ହେବା ସହ ବାଲ୍ୟ ଚପଳାମିକୁ ଭୁଲିନଥିଲି। ଘରେ ବଡ଼ ଲୋକଙ୍କ ଭଳି ବ୍ୟବହାର କରୁଥିଲେ ବି ବାହାରେ ଛୁଆଙ୍କ ସହ ଛୁଆ ହୋଇଯାଉଥିଲି। ପିଲା ଦିନୁ ହିଁ ମୁଁ ଗାଡ଼ି ଚଲାଇବା, କବାଡ଼ି ଖେଳାଖେଳି କରୁଥିଲି। ଟିକେ ଉଦଣ୍ଡୀ ତଥା ରାଉଡ଼ି ସ୍ୱଭାବର ଥିଲି। ନବମ‌ ଶ୍ରେଣୀରେ ପଢ଼ୁଥିବା ସମୟରେ ଥରେ ଆମେ ସାଙ୍ଗମାନେ ମିଶି ନନ୍ଦନକାନନ ଯାଇଥିଲୁ। ସେତେବେଳେ କିଛି ପିଲା ଆମକୁ ଆଡ଼ୁ ସାଡ଼ୁ କହି କମେଣ୍ଟ୍‌ କଲେ। ତେଣୁ ସେମାନଙ୍କୁ ଗାଳିଗୁଲଜ କରିବା ସହ ମୋ ସାଙ୍ଗମାନଙ୍କୁ ସୁରକ୍ଷା ଦେଇ ଘର ପର୍ଯ୍ୟନ୍ତ ଆଣିଥିଲି। ସେହିଭଳି ଥରେ ଆମେ ସାଙ୍ଗମାନେ ଘରକୁ ଫେରୁଥିଲୁ। ମୁଁ ସାଇକେଲ୍‌ରେ ଓ ମୋ ସାଙ୍ଗମାନେ ଚାଲି ଚାଲି ଯାଉଥିଲୁ। ହଠାତ୍‌ ଗୋଟେ ପିଲା ଆସି ମୋ ସାଙ୍ଗର ପିଠିକୁ ବାଡ଼େଇ ପଳେଇଗଲା। ମୁଁ ଚିଲେଇ ତାକୁ ଗାଳି ଦେଲି। ସେ ପିଲା ରାଗରେ ବାଡ଼େଇବାକୁ ଆମ ଆଡ଼କୁ ମାଡ଼ି ଆସିଲା। ଚିତ୍କାର କରିବାରୁ ଆମ କଲୋନିର ସିକ୍ୟୁରିଟି ଆସି ଗେଟ୍‌ ବନ୍ଦ କରିଦେଲା ଓ ସେ ପିଲାକୁ ‌ସେଦିନ ଆମେମାନେ ମିଶି ପ୍ରବଳ ପିଟିଥିଲୁ। ମୋ ପ୍ରଥମ ଚଳଚ୍ଚିତ୍ର ‘ପଞ୍ଚୁ ପାଣ୍ଡବ’ ସମୟରେ ମୋର ଏଭଳି ସ୍ବଭାବ ଦେଖି ମତେ ସବୁ ପ୍ରତିଭା ବଦଳରେ ‘ପ୍ରଭାତ ବାବୁ’ ବୋଲି ଡାକୁଥିଲେ।