ଭୁବନେଶ୍ବର: ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ରାଗିଂ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର(ଏବିଭିପି) ଛାତ୍ରଛାତ୍ରୀମାନେ ଲୋୟର୍ ପିଏମ୍ଜିରେ ଗର୍ଜନ କରିଥିଲେ। ମଧ୍ୟାହ୍ନ ୧୨ଟାରେ ଶ୍ରୀୟା ଛକରୁ ଶତାଧିକ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜି ପହଞ୍ଚିଥିଲେ ଓ ସେଠାରୁ ବିଧାନସଭା ମୁହାଁ ହୋଇଥିଲେ। ତେବେ ବ୍ୟାରିକେଡ୍ ନିକଟରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା। ଅଧ ଘଣ୍ଟା କାଳ ବର୍ଷାରେ ପୁଲିସ ଓ ଆନ୍ଦୋଳନକାରୀ ଠେଲାପେଲା ହେବା ପରେ ପୁଲିସ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିଲା।
ଏବିଭିପି ଅଭିଯୋଗ କରିଛି ଯେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ବଢ଼ି ଚାଲିଛି। ପୂର୍ବରୁ କଟକ ଏସ୍ସିବି ମେଡିକାଲ ଛାତ୍ରୀ, କଳାହାଣ୍ଡିରେ ମମିତା ମେହେର ହତ୍ୟାକାଣ୍ଡ, ବଲାଙ୍ଗୀର ମେଡିକାଲ ଛାତ୍ରୀ ଆତ୍ମହତ୍ୟା ମାମଲାରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି। ବିଜେବି କଲେଜରେ ୩ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ରୁଚିକା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ସୁଇସାଇଡ୍ ନୋଟରେ ସ୍ପଷ୍ଟ ଲେଖାଯାଇଛି। ମହାବିଦ୍ୟାଳୟରେ ଆଣ୍ଟି ରାଗିଂ ଟିମ୍ ଠିକ୍ କାମ କରୁନଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ରାଜ୍ୟ ସରକାର ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଲେ ଏବିଭିପି ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।