ପ୍ରାର୍ଥୀ ଘୋଷଣା କଲା ଏବିଭିପି

ଜୋରଧରିଲା ରମାଦେବୀ କ୍ୟାମ୍ପସ ରାଜନୀତି

ଭୁବନେଶ୍ୱର: ଜୋର ଧରିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରାଜନୀତି। ଭୁବନେଶ୍ୱରର ଏହି ପ୍ରମୁଖ କ୍ୟାମ୍ପସ ଅକ୍ତିଆର ଲାଗି ରାଜ୍ୟର ୩ ଛାମୁଆ ଛାତ୍ର ସଙ୍ଗଠନ ଏବେଠାରୁ ଲାଗିପଡ଼ିଛନ୍ତି। ସୋମବାର ଛାତ୍ର ବିଜେଡି ପକ୍ଷରୁ ଆଗୁଆ ସଭାପତି ଓ ସାଧାରଣ ସମ୍ପାଦକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଆଜି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏବିଭିପି ଏଥର ପିଜି ଛାତ୍ରୀଙ୍କୁ ସଭାପତି ପ୍ରାର୍ଥୀ ଭାବେ ମଇଦାନ୍‌କୁ ଛାଡ଼ିଛି। ଅର୍ଥନୀତି ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀ ଇପ୍‌ସିତା ତ୍ରିପାଠୀ ସଭାପତି ପ୍ରାର୍ଥୀ ହେବେ। ନାଟ୍ୟ ସମ୍ପାଦକ ପଦ ପାଇଁ ଯୁକ୍ତ ତିନି କମ୍ପ୍ୟୁଟର୍‌ ସାଇନ୍ସର ଶେଷ ବର୍ଷ ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ପ୍ରାର୍ଥୀ ହେବାକୁ ଥିବା ବେଳେ ସୁଚରିତା ଦତ୍ତ କ୍ରୀଡ଼ା ସମ୍ପାଦିକା ହେବେ ବୋଲି ଏବିଭିପି ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ସୂଚନା ଦେଇଛନ୍ତି। ଛାତ୍ର କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରିପାରି ନାହିଁ। ନିର୍ବାଚନ ତାରିଖ ଘୋଷଣା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସଙ୍ଗଠନର ରାଜ୍ୟସ୍ତରୀୟ ନେତା କହିଛନ୍ତି।

ଅନ୍ୟପକ୍ଷରେ ଛାତ୍ର ବିଜେଡି ଓ ଏବିଭିପି ପ୍ରାର୍ଥୀ ଘୋଷଣା କରିବା ପରେ ଆଜି କ୍ୟାମ୍ପସରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। କେଉଁ ସଙ୍ଗଠନ ପଛରେ କେତେ ଛାତ୍ରୀ ରହିଛନ୍ତି ତାହା ଦେଖାଇଛନ୍ତି। ଏକ ନିର୍ଦ୍ଦିଷ୍ଟ ସଙ୍ଗଠନ ପକ୍ଷରୁ ଛାତ୍ରୀଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ଆଜିଠାରୁ କ୍ୟାମ୍ପସ ସମ୍ମୁଖରେ ଭୋଜିଭାତର ଆୟୋଜନ କରାଯାଇଛି। ପ୍ରାର୍ଥୀ ଘୋଷଣା କରିବା ସହ ଛାତ୍ରୀଙ୍କୁ ଖାଇବା ଦେଇଛି। ଏହାକୁ ନେଇ ଆଜି କ୍ୟାମ୍ପସରେ ରାଜନୀତି ସରଗରମ ହୋଇଛି।

ସମ୍ବନ୍ଧିତ ଖବର