ରାଜରାସ୍ତାକୁ ଓହ୍ଲାଇଲା ଏବିଭିପି

ଉତ୍କଳ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉତ୍କଳ ସମେତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ସମସ୍ୟା, ଛାତ୍ରୀଙ୍କ ସୁରକ୍ଷା, ଭିତ୍ତିଭୂମି ଅଭାବ ଭଳି ସମସ୍ୟା ଏହି ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କଲେଜଗୁଡ଼ିକରେ ଦେଖାଦେଇଛି। ଏହାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯିବା ସହ କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତଥାପି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେଉ ନ ଥିବାରୁ ଏବିଭିପି ଆଜି ରାଜରାସ୍ତାକୁ ଓହ୍ଲାଇଛି।

ଏବିଭିପି ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକଙ୍କ ଅହ୍ଵାନରେ ଉତ୍କଳ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ କଲେଜର ଛାତ୍ରଛାତ୍ରୀ ରାମମନ୍ଦିର ଛକରୁ ଶୋଭାଯାତ୍ରାରେ ବାହାରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ଏବିଭିପି ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଶ ପଣ୍ଡା ଯୋଗଦେଇ ଉଚ୍ଚଶିକ୍ଷାକୁ ନିମ୍ନଗାମି କରିବା ପାଇଁ ଷଡଯନ୍ତ୍ର ହେଉଛି ବୋଲି ସେ କହିଥିଲେ। ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ ନିଜର ଅଭିଭାଷଣରେ ରମାଦେବୀ ଦ୍ୱିତୀୟ କ୍ୟାମ୍ପସ ଉତ୍କଳ ବିଶ୍ୱବିଦ୍ୟାଳୟ ଜମିରେ ନ କରି ସର୍ବନିମ୍ନ ୩୦୦ ଏକର ଜମିରେ କ୍ୟାମ୍ପସ କରିବାକୁ ଆହ୍ଵାନ ଦେଇଥିଲେ। ସମାବେଶରେ ରାଜ୍ୟ ସହ ସମ୍ପାଦିକା ସୋନାଲି ବେହେରା, ସହ ସମ୍ପାଦକ ବ୍ୟାସ ନାରାୟଣ ଜୋଶୀ, ରାଜ୍ୟ ବିଶ୍ୱବିଦ୍ୟାଳୟ ସହ ସଂଯୋଜକ ବୁଦ୍ଧଦେବ ବାଗ, ମହାନଗର ସହ ସମ୍ପାଦକ ଅମିତ ସାହୁ, ସୁଭଜିତ ମହାପାତ୍ର, ଭବାନୀ ଶଙ୍କର ଦାଶ, ନିବେଦିତା ଲେଙ୍କା, ରଞ୍ଜିତା ବେହେରା, ସଙ୍ଗିତା ପଣ୍ଡା, ଅଜୟ ପଣ୍ଡା, ମହାନଗର ସମ୍ପାଦକ ସଞ୍ଜୟ ମଲ୍ଲିକ, ସୁଜିତ ସ୍ୱାଇଁ, ଅଜିତ, ବିକାଶ, ଅବିନାଶ, ରତନ ଦିଗଲ, ଶ୍ରଦ୍ଧାଞ୍ଜଳି ମହାପାତ୍ର ପ୍ରମୁଖ ଅଭିଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର