ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଏକ ଅଜଣା ଗାଡ଼ି ଧକ୍କାରେ ସ୍ଥିତପ୍ରଜ୍ଞା ନାୟକ(୩୨) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା। ଏଠାରେ ଲକ୍ଷ୍ମୀସାଗର ଅଞ୍ଚଳ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ପୁଲିସ ସୂଚନା ମୁତାବକ, ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ସ୍ଥିତପ୍ରଜ୍ଞା ସ୍କୁଟିରେ ଜୟଦେବବିହାରୁ କାମସାରି ଲକ୍ଷ୍ମୀସାଗର ଘରକୁ ଫେରୁଥିଲେ। ସେ ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଅତିକ୍ରମ କରୁଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସେ ସ୍କୁଟି ସହ ଉପରକୁ ଉଠି ଡିଭାଇଡର୍‌ରେ ବାଡ଼େଇ ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିରହି ଚିତ୍କାର କରିଥିଲେ। ସ୍ଥାନୀୟଲୋକମାନେ ସ୍ଥିତପ୍ରଜ୍ଞାଙ୍କୁ ଗୁରୁତର ଅବସ୍ଥାରେ ପାଇ ତୁରନ୍ତ ପୁଲିସକୁ ଫୋନ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତପ୍ରଜ୍ଞାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା  ରୁୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ସମ୍ବନ୍ଧିତ ଖବର