ପିକ୍‌-ଅପ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ପୃଥକ୍‌ ଦୁର୍ଘଟଣାରେ ୨ ଗାଡ଼ି ଚାଳକ ମୃତ, ବାଣୀବିହାର ଛକରେ ୩ ଘଣ୍ଟା ରାସ୍ତା ଜାମ୍‌

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥରେ ପୃଥକ୍‌ ପୃଥକ୍ ଦୁଇଟି ଦୁର୍ଘଟଣାରେ ଦୁଇଜଣ ଚାଳକଙ୍କ ମୃତ୍ୟୁ ଘଟିଛି। ଖଣ୍ଡଗିରି ଫ୍ଲାଏଓଭର୍‌ ଉପରେ ଏକ ଅଜଣା ଗାଡ଼ି ଧକ୍କାରେ ଜଗତସିଂହପୁର ଅଞ୍ଚଳର କାଜଲ ମଲ୍ଲିକ(୪୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ବାଣୀବିହାର ଫ୍ଲାଏ ଓଭର ଉପରେ ଦୁର୍ଘଟଣା ଯୋଗୁଁ ଢେଙ୍କାନାଳ ଅଞ୍ଚଳର ଅର୍ଜୁନ ଆଇଚ(୫୫)ଙ୍କ ମୃତ୍ୟୁ ଘଟିଛି। ପୁଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଛି। ସେହିପରି ପୁଲିସ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ବ୍ୟବ‌ଚ୍ଛେଦ ପାଇଁ ପଠାଇଛି।

ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟା ପାଖାପାଖି ସାଢ଼େ ୬ଟାରେ ଅର୍ଜୁନ ଗୋପାଳପୁରରୁ ପିକ୍‌ଅପ୍‌ ଭ୍ୟାନ୍‌ରେ ଜିନିଷ ନେଇ କଟକ ଆସୁଥିଲେ। ବାଣୀବିହାର ଫ୍ଲାଏଓଭର ନିକଟରେ ଗାଡ଼ି ଖରାପ ହେବାରୁ ସେ ସେଠାରେ ପିକ୍‌ଅପ୍‌ ଭ୍ୟାନ୍‌କୁ ପାର୍କିଂ କରି ମରାମତି କରୁଥିଲେ। ସେହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପିକ୍‌ଅପ୍‌କୁ ପଛରୁ ଧକ୍କା ଦେଇ ଅର୍ଜୁନଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣା ପରେ ଫ୍ଲାଏଓଭର ସମ୍ପୂର୍ଣ୍ଣ ଜାମ୍‌ ହୋଇଯାଇଥିଲା।

ସହିଦନଗର ପୁଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ନେଇଥିଲା। ପାଖାପାଖି ୩ ଘଣ୍ଟା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ସୋମବାର ରାତିରେ ମଧ୍ୟ ସମାନ ଧରଣର ଦୁର୍ଘଟଣା ଘଟିଥିଲା। କାଜଲଙ୍କ ପିକ୍‌ଅପ୍‌ ଭ୍ୟାନ୍‌ ଖଣ୍ଡଗିରି ଫ୍ଲାଏ ଓଭର ଉପରେ ଖରାପ ହେବାରୁ ସେ ସେଠାରେ ଗାଡ଼ି ସଜାଡ଼ୁଥିଲେ। ତେବେ ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣାଗାଡ଼ି ତାକଙ୍କ ଭ୍ୟାନ୍‌କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ାଇ ଫେରାର୍‌ ହୋଇଯାଇଥିଲା ଖଣ୍ଡଗିରି ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ଫେରାର୍‌ ଗାଡ଼ିକୁ ଠାବ ପାଇଁ ପୁଲିସ ବିଭିନ୍ନ ଦିଗ ଉପରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର