ଗଛରେ ପିଟି ହୋଇ ଓଲଟିଲା କାର, ୨ ଗୁରୁତର

ବାଲିଅନ୍ତା: ଭୁବନେଶ୍ବର–ବନମାଳିପୁର ମୁଖ୍ୟ ରାସ୍ତାର ବାଳକାଟି ଫାଣ୍ଡି ଅଧୀନ ଶିଶିଲୋ ଛକ ନିକଟରେ ଦୁର୍ଘଟଣା ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଦିନ ଗୋଟାଏ ସମୟରେ ଭୁବନେଶ୍ବରରୁ କାକଟପୁର ଅଭିମୁଖେ ଯାଉଥିବା ଏକ କାର୍‌ (ଓଡି୧୩-କେ-୫୭୮୬) ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଚାକୁଣ୍ଡା ଗଛରେ ପିଟି ହୋଇଯିବାରୁ କାର ଚାଳକ ଓ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ପୁରୀ ଜିଲ୍ଲା କାକଟପୁର ଥାନା କୋଟକଣା ଗ୍ରାମର ଶେଖ ମହସିନ(୩୦) ଓ କାର ଚାଳକ ମିର୍ଜାକୁନ ବେଗ (୩୨)। ମିର୍ଜାକୁନଙ୍କ ଅବସ୍ଥା ଗୁରୁତର ରହିଛି। ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ ଓ ପିସିଆର୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ମହସିନ ଓ ମିର୍ଜାକୁନ୍‌ଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର