୨ ଯୁବକ ମୃତ, ୩ ଗୁରୁତର

ବାଲିପାଟଣାରେ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା

0

ବାଲିପାଟଣା: ବାଲିପାଟଣା ଛକ ନିକଟ ମଦ ଦୋକାନ ଆଗରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଯୁବକଙ୍କ ଜୀବନ ଯାଇଛି। ଦୁଇଟି ଦ୍ରୁତଗାମୀ ବାଇକ୍‌ ପରସ୍ପରକଚ ଧକ୍କର ଦେବାରୁ ୩ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ପ୍ରାଣ ହରାଇଥିବା ଯୁବକ ଦ୍ୱୟ ହେଲେ କେନ୍ଦ୍ରାପଡ଼ାର ସୌମ୍ୟରଞ୍ଜନ କର(୨୪) ଓ ଅନ୍ୟ ଜଣେ ପିପିଲିର ଅକ୍ଷୟ ଭୋଇ। ସେହିପରି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଅସ୍ତରଙ୍ଗ ଅଞ୍ଚଳର ବିମଳ ପ୍ରସାଦ ଦାସ ଓ ପିପିଲି ଅଞ୍ଚଳର ଜିତେନ୍ଦ୍ର ଭୋଇ। ଅନ୍ୟ ଜଣେ ଆହତଙ୍କ ପରିଚୟ ମିଳିପାରି ନାହିଁ। ବାଲିପାଟଣା ପୁଲିସ ବାଇକ୍‌ ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ପୁଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଆଜି ଅପରାହ୍ଣ ପ୍ରାୟ ଗୋଟାଏ ୧୦ମିନିଟ୍‌ରେ ମଦ ଦୋକାନ ଆଗରେ ଦୁଇଟି ବାଇକ୍‌ ପରସ୍ପରକୁ ଧକ୍କା ଦେଇଥିଲେ। ପିପିଲି ଥାନା ଅଞ୍ଚଳର ଅକ୍ଷୟ ଭୋଇ ଓ ଜିତେନ୍ଦ୍ର ଭୋଇ ଏକ ଗ୍ଲାମର ବାଇକ୍‌(ଓଡି-୩୩-ଏଲ୍‌-୯୪୦୯)ରେ ଉତ୍ତରା ପଟୁ ବାଲିପାଟଣାକୁ ଆସୁଥିଲେ। ଠିକ୍‌ ଏତିକିବେଳେ ମଦ ଦୋକାନ ଆଗରେ ୩ଜଣ ଯୁବକ ଏକ ପଲସର ବାଇକ୍‌(ଓଡି-୦୨-ଏଇ-୫୬୩୪)ରେ ହଠାତ୍‌ ମଝି ରାସ୍ତାକୁ ଚାଲି ଆସିଥିଲେ। ଫଳରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଏକ ବିରାଟ ବିସ୍ଫୋରଣ ଶଦ୍ଦ ହୋଇ ରାସ୍ତା ଉପରେ ୫ଜଣ ଯାକ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲେ। ଅକ୍ଷୟଙ୍କ ଗୋଟିଏ ପାଦ ସଂପୂର୍ଣ୍ଣ ଛିଣ୍ଡି ଯିବା ସହ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଅନ୍ୟ ବାଇକ୍‌ରେ ଥିବା ସୌମ୍ୟଙ୍କ ମୁଣ୍ଡ ପଛପଟ ଫାଟିଯିବା ସହ ମୁହଁ ଓ ନାକ ଫାଟି ପ୍ରଚୁର ରକ୍ତସ୍ରାବ ହେଉଥିଲା। ଅକ୍ଷୟଙ୍କୁ ଘଟଣାସ୍ଥଳରୁ କ୍ୟାପିଟାଲ ହସ୍‌ପିଟାଲକୁ ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ବାଲିପାଟଣା ନେଇଥିଲେ ଓ ପରେ ସେମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲକୁ ପଠାଯାଇଥିଲା। କ୍ୟାପିଟାଲ ହସ୍‌ପିଟାଲରେ ଅକ୍ଷୟ ଓ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ବିମଳଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏବେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦ୍ରୁତଗତି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.