ମରଣଯନ୍ତା ନୟନଯୋରି, ଦୁଇ ମାସରେ ନେଲାଣି ୫ ଜୀବନ

ଧଉଳି: ଭୁବ‌େନଶ୍ୱର-ପୁରୀ ଜାତୀୟ ରାଜପଥକୁ ଲାଗିଥିବା ନୟନଯୋରି, ପୋଖରୀ ଓ ଜଳାଶୟ ଏବେ ଦୁର୍ଘଟଣାଗ୍ରସ୍ତ ଭାରୀଯାନ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଦୁର୍ଘଟଣାଗ୍ରସ୍ତ ଭାରୀଯାନ ଏହି ଜଳାଶୟ ଭିତରେ ବୁଡ଼ିଯିବା ଫଳରେ ଗାଡ଼ି ଭିତରେ ଫସି ରହିଥିବା ଲୋକେ ଡୋର୍‌ ଖୋଲି ନ ପାରି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଉଛନ୍ତି। ଉତ୍ତରା ଫାଣ୍ତି ଅଧୀନ ସିଫା ନିକଟ ନୟନଯୋରିରେ ଏମିତି ଢଙ୍ଗରେ ଗତ ୨ମାସ ମଧ୍ୟରେ ୫ଟି ଜୀବନ ଚାଲିଗଲାଣି। ଗତ ସେପ୍ଟେମ୍ବର ୫ ତାରିଖରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା କୁମ୍ଭାରପଡ଼ା ଥାନା ଅଧୀନ ମଧୁବନର ସ୍ମୃତିକାନ୍ତ ପରିଡ଼ା(୩୫)ଙ୍କ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ଏହି ନୟନଯୋରିକୁ ଖସି ପଡ଼ିଥିଲା। ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବାରୁ କେହି କିଛି ଜାଣି ପାରିନଥିଲେ। ପରଦିନ ସକାଳେ ଉତ୍ତରା ଫାଣ୍ତି ପୁଲିସ ଏ ସ˚ପର୍କରେ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଘଟଣାସ୍ଥଳରୁ କାର୍‌ ଓ ସ୍ମୃତିକାନ୍ତଙ୍କ ଶବ ଉଦ୍ଧାର କରିଥିଲା। ସେହିପରି ଗତ ୧୯ ତାରିଖ ରାତିରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ କାର୍‌ ବାଇକକୁ ଧକ୍କା ଦେଇ ଏହି ନୟନ‌‌ଯୋରି ଭିତରକୁ ଓଲଟି ପଡ଼ିଥିଲା। ଫଳରେ କାର୍‌ ଭିତରେ ଚାଳକ ସମେତ ମୋଟ ୪ ଜଣ ପାଣି ଭିତରୁ ବାହାରି ନପାରି ପ୍ରାଣ ହରାଇଥିଲେ। ଉପରୋକ୍ତ ଦୁଇଟିଯାକ ଦୁର୍ଘଟଣାରେ ଯୋର ଭିତରକୁ କାର୍‌ ଓଲଟି ପଡ଼ିବା ପରେ ଆହତମାନେ ଡୋର୍‌ ଖୋଲି ନପାରି ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ମେଡିକାଲ ରିପୋର୍ଟରୁ ଜଣାପଡ଼ିଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ‌ତେଣୁ ନୟନଯୋରି ଓ ଜଳାଶୟ ସ˚ଲଗ୍ନ ଜାତୀୟ ରାଜପଥ ପାର୍ଶ୍ବରେ ଜିଆଇ ବ୍ୟାରିକେଡ୍‌ ନିର୍ମାଣ କରାଗଲେ, ଭବିଷ୍ୟତରେ ଏଭଳି ମୃତ୍ୟୁରୁ ଅନେକେ ବର୍ତ୍ତି ଯାଇପାରିବେ ବୋଲି କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର