ଦୁଇ ଦୁର୍ଘଟଣା, ୬ ଆହତ

ବାଲିପାଟଣା/ବାଲିଅନ୍ତା: ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ ଭିନ୍ନଭିନ୍ନ ୨ଟି ଦୁର୍ଘଟଣା ଘଟି ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ବାଲିପାଟଣା ଥାନା ଅନ୍ତର୍ଗତ ଧାନହରା ଓ ନୂଆସାହି ରାସ୍ତାର ଏକ ବାଇକ୍‌ ସୋରୁମ ନିକଟରେ ଆଜି ରାତି ପ୍ରାୟ ସାଢେ ୯ଟାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରେ ସମସ୍ତଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ମଝିହରା ପଞ୍ଚାୟତ ୧୭ନ˚ ଵାର୍ଡର ଵାର୍ଡସଭ୍ୟ ନଗେନ୍ଦ୍ର ସାହୁ(୫୦), ତାଙ୍କ ଗାଁର ସୌମ୍ୟରଞ୍ଜନ ସାହୁ(୧୮)ଓ ଆଉ ଜଣେ ସାଥୀ ଧାନହରା ପଟୁ ଏକ ବାଇକରେ ବନମାଳିପୁର ଆଡ଼କୁ ଯାଉଥିଲେ। ଗିରିଙ୍ଗର ମଣ୍ଟୁ ଭୋଇ(୩୬) ଓ ପମ୍ପାଲୋର ବାପି ଭୋଇ(୪୨) ବିପରୀତ ଦିଗରୁ ଏକ ବାଇକରେ ବାଲିପାଟଣା ଫେରୁଥିଲେ। ଉକ୍ତ ବାଇକ୍‌ ସୋରୁମ୍‌ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଦୁଇଟିକୁ ଜବତ କରିଛି। ସେହିପରି ହଂସପାଳ-ଜୟଦେବ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ବାଲିକାନ୍ଥିଆ ନିକଟରେ ଆଜି ଅପରାହ୍‌ଣରେ ବାଇକ୍‌କୁ ପଛରୁ ଏକ ଅଟୋ ଧକ୍କା ଦେବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟଙ୍କ ପରିଚୟ ମିଳି ପାରିନି। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିଛି।

ସମ୍ବନ୍ଧିତ ଖବର